ଲୁଟେରା ଆତଙ୍କ : ଝରକା ତାଡି ଲୁଟ୍ ଓ ଆପାର୍ଟମେଣ୍ଟରୁ ସିରିଜ ଚୋରି

0 1,981

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଓ ଉପକଣ୍ଠରେ ଏବେ ଲୁଟେରା ଗ୍ୟାଙ୍ଗ ମାତି ଉଠିଛନ୍ତି । ସୁଯୋଗ ପାଇଲେ ଝରକା ତାଡି ଘରୁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟି ନେଉଛନ୍ତି । ଗତ କିଛିମାସ ହେଲା ରାଜଧାନୀ ଉପକଣ୍ଠରେ ଘନଘନ ଚୋରି ଓ ଲୁଟ୍ ଭଳି ଅପରାଧ ଘଟୁଥିବା ବେଳେ ଶନିବାର ରାତିରେ ଦୁଇଟି ସ୍ଥାନରୁ ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଛନ୍ତି । ଗୋଟିଏ ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରୁ ଝରକା ତାଡି ଲୁଟ୍ ହୋଇଥିବା ବେଳେ ଅନ୍ୟଟି ବାଲିଅନ୍ତା ଥାନା ଅଧିନରେ ଥିବା ଏକ ଆପାର୍ଟମେଣ୍ଟରୁ ବଡ ଧରରଣର ଚୋରି ହେଇଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଲୁଟେରାଙ୍କ ଟେର ପାଇପାରିନାହିଁ ।

ସୂଚନା ଅନୁସାରେ, ପୁରୁଣା ଭୁବନେଶ୍ୱର କପିଳପ୍ରସାଦ କେଳୁଚରଣ ଲେନ ନଂ୫ରେ ବରିଷ୍ଠ ନାଗରିକ ଧ୍ରୁବ ଚରଣ ପାତ୍ର ପରିବାର ରହୁଛନ୍ତି । ସେ ପରିବାର ସହ ଦୁଇ ଦିନ ତଳେ ବେଙ୍ଗାଲୁରୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ଘରର ଦେଖାରଖା କରିବା ପାଇଁ ଜଣେ ଲୋକକୁ ଦାୟିତ୍ୱ ଦେଇଥିଲେ । ହେଲେ ଆଜି ହଠାତ ଖବର ପାଇଥିଲେ ଦୁର୍ବୃତ୍ତମାନେ ଘରରୁ ଲୁଟି କରିଛନ୍ତି । ଲୁଟେରାମାନେ ଘରର ଝରକା ତାଡ଼ିବା ସହ ସୁନା ଗହଣା ଏବଂ ଟଙ୍କା ପୋଛି ନେଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଲୁଟେରାମାନେ ଘରର ଝରକାକୁ ଶାବଳ କିମ୍ବା କୌଣସି ଶକ୍ତ ଲୁହାରେ ତାଡ଼ି ଦେଇଛନ୍ତି । ସମସ୍ତ ଆସବାବ ପତ୍ର ଖେଳାଇ ଦେଇଛନ୍ତି । ଏହାସହ ଲୁହା ଆଲମିରାକୁ ତାଡି ସେଥିରେ ଥିବା ସବୁ ଗହଣା ଓ ଟଙ୍କାକୁ ଲୁଟ କରିଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି ।

ସେହିପରି ବାଲିଅନ୍ତା ଥାନା ବାଳକାଟୀ ଗଡଶ୍ରୀରାମପୁରରେ ଥିବା ‘ବର୍ଷା ରିଭେରା’ ଆପାର୍ଟମେଣ୍ଟରୁ ସିରିଜ ଚୋରି ହୋଇଛି । ଏହି ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୩୦୨ରେ କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଅଜିତ କୁମାର ପଲାଇ ପରିବାର ସହ ଭଡାରେ ରହୁଛନ୍ତି । ସେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଗତ ଗୁରୁବାର ଦିନ ସେ ପରିବାର ସହ ମା’ଙ୍କ ଶ୍ରାଦ୍ଧବାର୍ଷିକୀ ଲାଗି ଗାଁକୁ ଯାଇଥିଲେ । ଏହି ସମୟରେ ଫ୍ଲାଟ ତାଲା ପଡିଥିଲା । ଗତକାଲି ରାତିରେ ଦୁର୍ବୃତ୍ତମାନେ ଆପାର୍ଟମେଣ୍ଟରେ ପଶି ଫ୍ଲାଟର ତାଲା ଭାଙ୍ଗି ଘରେ ପଶିଥିଲେ । ପରେ ଘରେ ଥିବା ଆଲମାରୀ ଭାଙ୍ଗି ସେଥିରେ ଥିବା ସୁନା-ରୂପା ଗହଣା, ନଗଦ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଲୁଟି ନେଇଥିଲେ । କେବଳ ଅଜିତଙ୍କ ଫ୍ଲାଟ ନୁହେଁ ବରଂ ଆପାର୍ଟମେଣ୍ଟର ୫ରୁ ଅଧିକ ଫ୍ଲାଟରୁ ଅନୁରୂପ ଭାବେ ଲୁଟ୍ ହୋଇଛି । ଆପାର୍ଟମେଣ୍ଟର ୫ଟି ଫ୍ଲାଟରୁ ପ୍ରାୟ ଅଧକୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି ।

ରାଜଧାନୀରେ ଚୋରି ଓ ଲୁଟ ଘଟଣା ଏବେ ନୂଆ ନୁହେଁ । ଗତ କିଛିଦିନ ହେଲା ରାଜଧାନୀରେ ଦିନକୁ ଦିନ ଚୋରି, ଡକାୟତି ଇତ୍ୟାଦି ବଢିବାରେ ଲାଗିଛି, ଯାହା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଛି । ସେପଟେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନିର୍ବାଚନ ମାହୋଲ ସମୟରେ ପୋଲିସ ବ୍ୟସ୍ତତା ରହିଥିବା ବେଳେ ଏଭଳି ଘଟଣା ଗୃହ ବିଭାଗ ପାଇଁ ଚାଲେଞ୍ଜ ସୃଷ୍ଟି ହେବ । ଏହି ସମୟରେ ନେତା, ମନ୍ତ୍ରୀଙ୍କ ଗତିବିଧି, ବଡ଼ ବଡ଼ ରାଲି ଓ ପ୍ରଚାର ପ୍ରସାରରେ ସୁରକ୍ଷା ଯୋଗାଇବା ପାଇଁ ବ୍ୟସ୍ତ ରହିବ ଗୃହ ବିଭାଗ । ଯଦି ଲୁଟେରା ଏଭଳି ସକ୍ରିୟ ରହିବେ ତେବେ ପୋଲିସ ପାଇଁ ବଡ ଚାଲେଞ୍ଚ ରହିବ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy