ବଡ଼ଚଣା: ଅମରଙ୍କ ଯୁଗ ଶେଷ, ଏଥର ନୂଆ ଚେହେରା

0 1,811

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦଶନ୍ଧି ଦଶନ୍ଧି ଧରି ବଡ଼ଚଣାରେ ରାଜ କରୁଥିବା ଅମର ଶତପଥିଙ୍କ ଯୁଗ ଶେଷ ହୋଇଛି । ଏଥର ବିଜେଡି ତାଙ୍କୁ ନାସ୍ତିବାଣୀ ଶୁଣାଇ ଦେଇଛି । ନାସ୍ତିବାଣୀ ଶୁଣିବା ପରେ ଅମରଙ୍କ ମନ ଆମ୍ବିଳା ହୋଇଯାଇଥିବା ବେଳେ ବଡ଼ଚଣାରେ ଖୁସିର ମାହୋଲ ଖେଳିଯାଇଛି । କାରଣ ଏଥର ବଡଚଣା ନୂଆଁ ମୁହଁ ଦେଖିବ । ସେପଟେ ଅମର ତାଙ୍କ ପୁଅ ପାଇଁ ସମରସଜ୍ଜା ଆରମ୍ଭ କରିଛନ୍ତି ।

୧୯୯୦, ୧୯୯୫, ୨୦୦୦, ୨୦୦୯, ୨୦୧୪ ଓ ୨୦୧୯ ଏପରି ଭାବେ ବିଭିନ୍ନ ଦଳରୁ ୬ଥର ବିଧାୟକ ହୋଇଥିବା ଅମର ପ୍ରସାଦ ଶତପଥିଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି । ସର୍ଭେ ରିପୋର୍ଟରୁ ଏହା ଜଣାପଡିବା ପରେ ଅମର ଶତପଥିଙ୍କୁ ଦଳ ଏଥର ନାସ୍ତିବାଣୀ ଶୁଣାଇ ଦେଇଛି । ନିକଟରେ ଯାଜପୁର ଜିଲ୍ଲା ବିଧାୟକ ଓ ନେତାଙ୍କୁ ନେଇ ନବୀନ ନିବାସରେ ବସିଥିବା ବୈଠକରେ ଅମରଙ୍କୁ ନାସ୍ତିବାଣୀ ଶୁଣିବାକୁ ପଡିଥିଲା । ହେଲେ କ୍ଷମତାର ମୋହ ଚାଖିଥିବା ଅମର କିନ୍ତୁ କୌଣସି ପ୍ରକାରେ ବଡ଼ଚଣାକୁ ନିଜ ଦଖଲରେ ରଖିବାକୁ ଚେଷ୍ଠା ଚଳାଇଛନ୍ତି । ନିଜ ପୁଅକୁ ବଡ଼ଚଣାର ଉତ୍ତରାଧିକାରୀ କରିବା ଲାଗି ଆସନ୍ତାକାଲି (ସୋମବାର) ବଡଚଣା ମହୋତ୍ସବ ପଡିଆରେ ଏକ ଶକ୍ତିପ୍ରଦର୍ଶନ କରିବାକୁ ଯାଉଛନ୍ତି ।

ବିଜେଡି କିନ୍ତୁ ଏଥର ବଡଚଣା ଆସନରୁ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି । ଏହି ନୂଆ ଚେହେରା ମଧ୍ୟରେ କଂଗ୍ରେସର ବରଷ୍ଠ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜ ନାରାୟଣ ମହାପାତ୍ର, ମନୋରମା ଆଚାର୍ଯ୍ୟ ଓ ଜନ୍ମେଜୟ ଲେଙ୍କା (ବାପୁ)ଙ୍କ ନାଁ ରହିଛି । ନିକଟର ରାଜ ନାରାୟଣ ମହାପାତ୍ର କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି । ତାଙ୍କର ତୃଣମୂଳସ୍ତର ସଂଗଠନ ମଧ୍ୟ ବେଶ ସୁଦୃଢ ରହିଛି । ଯୁବନେତା ଭାବେ ବଡଚଣାରେ ତାଙ୍କର ପ୍ରଭାବ ମଧ୍ୟ ରହିଛି । ତେଣୁ ଦଳ ତାଙ୍କୁ ଟିକେଟ ଦେଇ ଏକ ନିଶ୍ଚିତ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ।

ସେହିପରି କଂଗ୍ରେସର ଟାଣୁଆ ଯୁବନେତା ବାପୁ ଓରଫ ଜନ୍ମେଜୟ ଲେଙ୍କା ୨୦୧୯ରେ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ । ଦୀର୍ଘ ୫ବର୍ଷ ହେଲା ସେ ବଡଚଣା ଅଞ୍ଚଳରେ ବିଜେଡି ସଂଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି । ସରକାରଙ୍କ ଜନକଲ୍ୟାଣ ଯୋଜନାକ ଲୋକଙ୍କ ପାଖରେ ପହଞ୍ଚାଇବା ଠାରୁ ଆରମ୍ଭ କରି ଲୋକଙ୍କ ସୁବିଧା ଅସୁବିଧାରେ ଠିଆ ହେଉଛନ୍ତି । ତେଣୁ ଦଳ ତାଙ୍କୁ ମଧ୍ୟ ଅଣଦେଖା କରିବାକୁ ଚାହୁଁନାହିଁ । ଏଥିସହିତ ଯଦି ବିଜେଡି ମହିଳା କାର୍ଡ ଖେଳିବାକୁ ଚିନ୍ତା କରେ, ତେବେ ମନୋରମା ଆଚାର୍ଯ୍ୟଙ୍କୁ ଟିକେଟ ଦେବାକୁ ଚିନ୍ତା କରିବ । କାରଣ ମନୋରମା ମଧ୍ୟ ଦୀର୍ଘଦିନ ହେଲା ବିଜେଡି ସଂଗଠନ ସହ ଜଡିତ ରହିଛନ୍ତି ।

ଅନ୍ୟପକ୍ଷରେ ବଡ଼ଚଣା ଆସନରୁ ଜଣେ ସାମ୍ବାଦିକଙ୍କୁ ଟିକେଟ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଭୁବନେଶ୍ୱରରୁ ପ୍ରକାଶିତ ଏକ ଦୈନିକ ସମ୍ବାଦପତ୍ରର ସମ୍ପାଦକ ଭାବେ କାର୍ଯ୍ୟ ତୁଲାଉଥିବା ସାମ୍ବାଦିକ ଜଣଙ୍କ ୨୦୧୪ରୁ ଟିକେଟ ଆଶାୟୀ ଅଛନ୍ତି । ମାତ୍ର ଅମର ଶତପଥି ତାଙ୍କ ରାସ୍ତାରେ ବାଧକ ସାଜିଆସୁଛନ୍ତି । ଚଳିତଥର ଅମରଙ୍କୁ ଦଳ ନାସ୍ତିବାଣୀ ଶୁଣାଇବା ପରେ ସଂପୃକ୍ତ ସାମ୍ବାଦିକ ଜଣଙ୍କୁ ଦଳ ଟିକେଟ ଦେଇପାରେ ବୋଲି ମଧ୍ୟ କୁହାଯାଉଛି । ଏସବୁ ନାଁକୁ ନେଇ ଦଳୀୟ ନେତୃବୃନ୍ଦ ତର୍ଜମା କରୁଥିବା ବେଳେ ଶେଷ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରହିଛି । ତେଣୁ ଦଳ କାହାକୁ ଟିକେଟ ଦେଇ ସନ୍ତୁଷ୍ଟ କରୁଛି, ତାହା ଦେଖିବାକୁ ବାକି ରହିଲା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy