ଏଥର ବେଗୁନିଆରୁ କିଏ, ପ୍ରଦୀପ ନା ପ୍ରବୋଧ?

0 522

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀରୁ ଏଥର ବିଜେଡି କାହାକୁ ପ୍ରାର୍ଥୀ କରିବ, ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ବିଧାୟକ ରାଜେନ୍ଦ୍ର ସାହୁ ବିରୋଧର ଶୀକାର ହେବା ପରେ ସେ ଆଉ ଥରେ ରିପିଟ୍ ହେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏଥିସହିତ ଏଥର ‘ସ୍ଥାନୀୟ ନେତା’ ନାରା ଜୋର ଧରିଥିବାରୁ ପ୍ରଦୀପ ସାହୁ ଓ ନୂଆ ଚେହେରା ଭାବେ ପ୍ରବୋଧ ଦାଶଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଟିକେଟ ଦୌଡରେ ବିଧାୟକ ରାଜେନ୍ଦ୍ର ସାହୁ ଆଗରେ ରହିଛନ୍ତି । ଦଳ ତାଙ୍କୁ ପୁଣି ଥରେ ରିପିଟ୍ କରିବାକୁ ଇଚ୍ଛା ରଖିଥିବା ବେଳେ ରାଜେନ୍ଦ୍ର କିନ୍ତୁ ଖୋର୍ଦ୍ଧାରୁ ଲଢିବାକୁ ମନ ବଳାଇଛନ୍ତି । ନିଜର ପୂର୍ବ ସିଟ୍‌କୁ ଫେରିବାକୁ ସେ ଦଳୀୟ ନେତାଙ୍କୁ ସୁପାରିଶ କରିଥିବା ଜଣାପଡିଛି । ରାଜେନ୍ଦ୍ର ସାହୁ ଅମଙ୍ଗ ହେବା ଓ ସ୍ଥାନୀୟ ନେତା ନାରାକୁ ଗୁରୁତ୍ୱକୁ ନେଇ ଦଳ ଅନ୍ୟ ଏକ ଚେହେରାକୁ ସାମ୍ନାକୁ ଆଣିବାକୁ ବିଚାର କରୁଛି ।

ସ୍ଥାନୀୟ ନେତା ହିସାବରେ ପ୍ରଦୀପ ସାହୁ ଏହି ଦୌଡରେ ଆଗରେ ରହିଛନ୍ତି । ଏହା ସତ୍ୟ ଯେ ଦଳୀୟ ଶୀର୍ଷ ନେତୃବୃନ୍ଦଙ୍କ ସହ ତାଙ୍କର ଉତ୍ତମ ବୁଝାମଣା ରହିଥିବା ବେଳେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଦଳକୁ ସହଯୋଗ କରୁଛନ୍ତି । ମାତ୍ର ସେ କଂଗ୍ରେସରୁ ବିଜେଡିକୁ ଆସିଥିବାରୁ ତଣମୂଳସ୍ତରରେ ଲୋକେ ତାଙ୍କୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏପରିକି ମୂଳ ବିଜେଡି ସଂଗଠନ ସହ ସେ ଖାପଖୁଆଇ ପାରୁନାହାନ୍ତି । ଯଦି ସେ ମୂଳ ବିଜେଡି ସଂଗଠନ ସହ ନରୁହନ୍ତି, ତେବେ ୭୪ ହଜାର ବିଜେଡିର ନିଜସ୍ୱ ଭୋଟ ବିଭାଜନ ହେବା ଏକ ପ୍ରକାର ନିଶ୍ଚିତ । ଏଭଳି ସ୍ଥିତିରେ ଦଳ ତାଙ୍କ କଥାକୁ ମଧ୍ୟ ସହଜରେ ବିଚାର କରିପାରୁନାହିଁ ।

ଅନ୍ୟପକ୍ଷରେ ଶେଷ ବିକଳ୍ପ ଭାବେ ଦଳ ପ୍ରବୋଧ ଦାଶଙ୍କ ନାଁକୁ ନେଇ ବିଚାର ବିମର୍ଶ କରୁଛି । ପ୍ରବୋଧ ଜଣେ ସ୍ଥାନୀୟ ଲୋକ ଓ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି । ସେ ପ୍ରତ୍ୟେକ୍ଷ ରାଜନୀତିରେ ନଥିଲେ ମଧ୍ୟ ପରୋକ୍ଷରେ ଦଳ ପାଇଁ କାମ କରୁଛନ୍ତି । ୨୦୧୪ରୁ ସେ ଟିକେଟ ଆଶାୟୀ ରହିଛନ୍ତି । ନିର୍ବାଚନ ପ୍ରଚାରକୁ ନଓହ୍ଲାଇ ଦଳକୁ ୨୫ରୁ ୩୦ ହଜାର ଭୋଟ ଦେବାରେ ସେ ସକ୍ଷମ ହେଉଛନ୍ତି । ବେଗୁନିଆ-ବୋଲଗଡରୁ ବିଜେଡି ବିଜୟୀ ହେବା ପଛରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି । ଏପରିକି ଲୋକେ ମଧ୍ୟ ତାଙ୍କୁ ଚାହୁଁଛନ୍ତି । ଜଣେ ନିର୍ବିବାଦୀୟ ଚେହେରା ଭାବେ ଦଳ ତାଙ୍କୁ ଚଳିତ ଥର ଟିକେଟ ଦେବାକୁ ମଧ୍ୟ ଚିନ୍ତା କରୁଛି ।

ତେବେ ଏହି ତିନି ଚେହେରା ମଧ୍ୟରୁ ପ୍ରଦୀପ ଓ ପ୍ରବୋଧଙ୍କ ନାଁକୁ ନେଇ ଦଳରେ ମାନସମନ୍ଥନ ଚାଲିଛି । କାହାକୁ ଟିକେଟ ଦେଲେ ଦଳ ଲାଭବାନ ହେବ, ତାହା ଉପରେ ତର୍ଜମା କରାଯାଉଛି । ତେବେ ଶେଷ ନିଷ୍ପତ୍ତି ଦଳ ସପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତରେ ରହିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy