୪୦%ପରିବାର ଶୁଦ୍ଧ ପିଇବା ପାଣିରୁ ବଂଚିତ ହେବା ନବୀନ ବାବୁଙ୍କ କେଉଁ ରୂପାନ୍ତରୀକରଣ: ଗୋଲକ ମହାପାତ୍ର

0 205

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମୁଖ୍ୟମନ୍ତ୍ରୀ ନବୀନ ବାବୁ ପାଖାପାଖି ଦୀର୍ଘ ୧୦ହଜାର ଦିନ ଶାସନ ଗାଦିରେ ରହି ଯାହା କରିପାରିଲେ ନାହିଁ ତାହାକୁ କରିଦେଖାଇଛି ଗଞ୍ଜାମ ଜିଲ୍ଲା ପାତ୍ରପଡା ବ୍ଲକର ଜଣେ ଆଦିବାସୀ ଯୁବକ ଭୀମ ବେହେରା । ବିଜେଡି ସରକାର ପାଖରେ ଅର୍ଥର ଅଭାବ ନାହିଁ, କ୍ଷମତା ପାଖରେ ରହିଛି କିନ୍ତୁ ଲୋକଙ୍କୁ ଶୁଦ୍ଧପାଣି ମୁନ୍ଦାଏ ଦେବାରେ ବିଫଳ । ବିଜେଡି ସରକାର ପାଖାପାଖି ୧୦ହଜାର ଦିନ ଶାସନରେ ରହି କରୁଥିଲା କ’ଣ? ଲୋକଙ୍କ ଦାୟିତ୍ୱ ନେବା ମୁଖ୍ୟମନ୍ତ୍ରୀଙ୍କ କର୍ତବ୍ୟ କିନ୍ତୁ ତାହା ସେ କଲେନି । ଗାଁ ଲୋକଙ୍କ ପାଣି ସମସ୍ୟା ଏତେ ଉତ୍କଟ ଥିଲା ଯେ, ଗଞ୍ଜାମ ଜିଲ୍ଲା ପାତ୍ରପଡା ବ୍ଲକର ଭୀମ ବେହେରା ପାଣି ସମସ୍ୟା ପାଇଁ କେରଳରେ ୮ମାସ ଦାଦନ ଖଟିଲେ ।

ଦାଦନ ଶ୍ରମିକଭାବେ ଯେତିକି ଟଙ୍କା ସେ ରୋଜଗାର କରିଥିଲେ ସେହି ଟଙ୍କାରେ ୨କିମି ଦୂରରେ ଥିବା ଝରଣାରୁ ପାଇପ ଯୋଗେ ପାଣି ଆଣି ନିଜ ଗାଁର ଲୋକଙ୍କ ପାଖରେ ପହଁଚାଇଲେ । ନବୀନ ଯାହା କରିପାରିନଥିଲେ ତାହାକୁ ଜଣେ ଆଦିବାସୀ ଯୁବକ ୮ମାସର ରୋଜଗାରରେ କରି ଦେଖାଇଲା । ଏପୁଣି ଅନ୍ୟ ନିର୍ବାଚନ ମଣ୍ଡଳୀର ଘଟଣା ନୁହେଁ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲାର ଚିତ୍ର । ଯଦି ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାକୁ ପାନୀୟ ଜଳ ଦେବାରେ ବିଫଳ, ତାହାଲେ ରାଜ୍ୟକୁ ଶୁଦ୍ଧ ପାନୀୟ ଜଳ କିଭଳି ଯୋଗାଉଛନ୍ତି ତାହା ସ୍ପଷ୍ଟ ଅନୁମେୟ ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ପାଖାପାଖି ୧୦ହଜାର ଦିନ ସରକାରରେ ରହିବି ନବୀନ ବାବୁ ଲୋକଙ୍କୁ ପାଣି ଯୋଗାଇବାରେ ବିଫଳ ହୋଇଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ନବୀନ ବାବୁଙ୍କ ଅପେକ୍ଷା ବିଜେଡିର କାର୍ଯ୍ୟକର୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀ ହୋଇପାରିବେ । ସେହିପରି ମହାନଦୀ ବେସିନର ଉଭୟ ପଟେ ପାଣି ନାହିଁ । ବିଜେଡି ମହାନଦୀ ମହାଆନ୍ଦୋଳନ କରିଥିଲା, ତାହା କୁଆଡେ ଗଲା? ମହାନଦୀ ଉପରେ ଛୋଟ ଛୋଟ ଆନିକଟ କରିବେ ବୋଲି କହିଥିଲେ ତାହା କୁଆଡେ ଗଲା? ବିଜେଡି ସରକାର ଓଡ଼ିଶାବାସୀଙ୍କୁ ଜଳ ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ।

କେନ୍ଦ୍ରର ଟଙ୍କାକୁ ହଡପ କରିବା ବିଜେଡି ସରକାରଙ୍କ ଏକମାତ୍ର ଲକ୍ଷ୍ୟ । ଏଥିଲାଗି ଓଡ଼ିଶାବାସୀଙ୍କ ପାଖରେ ଜଳ ପହଁଚାଉ ନଥିଲା ନା ଓଡ଼ିଶାବାସୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ନଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀଙ୍କୁ କାହିଁକି ପାଣି ଦେଇପାରିଲେ ନାହିଁ ତାହାର ଉତର ନବୀନ ବାବୁ ରଖନ୍ତୁ । ଆଜି ସ୍ମାର୍ଟସିଟି ଭୁବନେଶ୍ୱରରେ ମ୍ୟାଲେରିଆ, ରାଉରକେଲାରେ ଡାଇରିଆ, ସମ୍ବଲପୁରରେ ଜଣ୍ଡିସ, ବ୍ରହ୍ମପୁରରେ ହଇଜା, କଟକରେ କଲେରା ଇତ୍ୟାଦିରେ ବିଜେଡି ନିଜର ପରିଚୟ ସୃଷ୍ଟି କରିଛି । ଏହା ହେଉଛି ୨୫ବର୍ଷ ସରକାରରେ ରହିଥିବା ନବୀନଙ୍କର କଠିନ ପରିଶ୍ରମର ଫଳ । ଓଡ଼ିଶାବାସୀ ଏଥର ନିଶ୍ଚିତ ନବୀନଙ୍କୁ ଶାସନ ଗାଦିରୁ ହଟାଇବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ବାବୁ ୨୫ବର୍ଷ ତଥା ୧୦ହଜାର ଦିନ ଶାସନ କରିସାରିଲେଣି କିନ୍ତୁ ଏବେ ବି ୪୦ପ୍ରତିଶତ ଲୋକ ପାଣି ପାଇବାରୁ ବଂଚିତ ହୋଇଛନ୍ତି । ୮୮ଲକ୍ଷ ଘରରୁ ୨୪ଲକ୍ଷ ଘରକୁ ପାଣି ପହଁଚିପାରିଲା ନାହିଁ । ୪୬ହଜାର ଗାଁରୁ ୧୧ହଜାର ଗାଁ ଆଜିବି ଟ୍ୟାପ ପାଣି ପାଇବାରୁ ବଂଚିତ । ଆଜିବି ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ସମେତ ଅନେକ ପଛୁଆ ଜିଲ୍ଲାରେ ୫୦ପ୍ରତିଶତରୁ ଅଧିକ ପରିବାର ପିଇବା ପାଣି ପାଇବାରୁ ବଂଚିତ । ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ଭିକେ ପାଣ୍ଡିଆନ କହୁଛନ୍ତି ଯେ, ବିରୋଧୀଙ୍କୁ ବିକାଶ ଦେଖାଯାଉନି । ତାହାଲେ ଓଡ଼ିଶାର ୪୦ପ୍ରତିଶତ ଲୋକ ଶୁଦ୍ଧ ପିଇବା ପାଣି ପାଇବାରୁ ବଂଚିତ ହେବା କ’ଣ ୨୫ବର୍ଷର ବିକାଶର ଚିତ୍ର କି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି ।

୨୫ବର୍ଷ ଶାସନରେ ଲୋକଙ୍କୁ ପାଣି ଯୋଗାଇ ନପାରିବା ଏହା କ’ଣ ବିକାଶ କି? ଆଜି ଶାସକ ବିଜେଡି ଦଳ ରୂପାନ୍ତରୀକରଣ କଥା କହୁଛି । ସାଧାରଣ ଲୋକେ ଶୁଦ୍ଧ ପିଇବା ପାଣି ପାଇବାରୁ ବଂଚିତ ହେବା କେଉଁ ରୂପାନ୍ତରିକରଣର ପ୍ରଭାବ । ଓଡିଶାରେ ସ୍କୁଲରେ ପିଲା ପାଠ ବନ୍ଦ କରି ୨କିମି ଚାଲିକରି ଯାଉଛନ୍ତି ପିଇବା ପାଣି ଆଣିବା ପାଇଁ । କନ୍ଧମାଳର ଏକ ସ୍କୁଲରେ ୨ହଜାର ପିଲା ପଢ଼ୁଥିଲେ କିନ୍ତୁ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ୨କିମି ପାଣି ପାଇଁ ପଠାଉଥିବାରୁ ଏବେ ସେହି ସ୍କୁଲରେ ୩୬୨ଜଣ ପିଲା ପଢ଼ୁଛନ୍ତି । ଓଡ଼ିଶାରେ ୩୦ପ୍ରତିଶତ ବିଦ୍ୟାଳୟ ଅଛି ଯେଉଁଠି ପାଣି ପହଁଚୁନାହିଁ । ଏହାର ଉତର ନବୀନ ବାବୁ ଦେବି କି? ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ କାର୍ଯ୍ୟ ସେ କେବଳ ନିର୍ବାଚନ ଜିତିବେ । ସେଥିପାଇଁ ଭାରତ ସରକାର ଯେଉଁ ପ୍ରୋଗ୍ରାମ କରିବେ ତାହାକୁ ନବୀନ ବାବୁ ରାଜ୍ୟରେ “କପି ପେଷ୍ଟ” କରିବେ ।

ମୋଦି ସରକାର ଜଳଜୀବନ ମିଶନ ଦ୍ୱାରା “ହର ଘର ନଲ ପେ ଜଳ” ଯୋଜନା କଲେ କିନ୍ତୁ ନବୀନ ସରକାର ତାହାର ନାମ ପରିବର୍ତନ କରି “ବସୁଧା” ଯୋଜନା କରି ଲୋକଙ୍କୁ ଭୂଆଁ ବୁଲାଇଲେ । ମୋଦି ସରକାର ଜଳଜୀବନ ମିଶନ ନାଁରେ ୧୦ହଜାର କୋଟି ଟଙ୍କା ଦେଲେ କିନ୍ତୁ ନବୀନ ବାବୁ ଏହାକୁ ବାଟମାରଣା କରି ହରିଲୁଟ୍ କଲେ । ଗତକାଲି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଜୀ କହିଛନ୍ତି ଯେ, ଓଡିଶାରେ ଜଳ ଜୀବନ ମିଶନ ସଫଳ ହେଉନାହିଁ କାରଣ ମୁଖ୍ୟମନ୍ତ୍ରୀ “କଳାତାଲିକାଭୁକ୍ତ କମ୍ପାନୀ”ଙ୍କୁ କାମ ଦେଇଛନ୍ତି । ଏହା ଉପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇପାରିବେ କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତ୍ରୀ ରଶ୍ମି ମହାପାତ୍ର, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy