ରାଜ୍ୟରେ ଆର୍ଥିକ ଶୃଙ୍ଖଳା ଓ ଆଇନର ଶାସନ ବାଟବଣା ହୋଇଛି : ସତ୍ୟବ୍ରତ ପଣ୍ଡା

0 142

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଅଭିଧାନରୁ ବଛା ବଛା ଶବ୍ଦରେ ସ୍ୱଚ୍ଛ ଶାସନର ‘ହଲ୍ ମାର୍କ’ ବା ଚାରିତ୍ରିକ ବିଶେଷତ୍ୱ ତିଆରି ହୁଏ ନାହିଁ । ଏଥି ପାଇଁ ସର୍ବପ୍ରଥମେ ଶୃଙ୍ଖଳା, ନିଷ୍ଠା ଓ ପ୍ରତିବଦ୍ଧତାର ଆବଶ୍ୟକତା ହୋଇଥାଏ । ଦୁର୍ଭାଗ୍ୟବଶତଃ ଦୀର୍ଘ ୨୩ ବର୍ଷର ବିଜେଡି ଶାସନରେ ଏସବୁ ପ୍ରତିଫଳିତ ହେଉନାହିଁ । ନିଜର କୁକର୍ମକୁ ସୁରକ୍ଷା ଦେବା ପାଇଁ ରତ୍ନ ଭଣ୍ଡାର ଚାବି ହଜିବା ଠାରୁ ଆରମ୍ଭ କରି ନବ ଦାସ ହତ୍ୟା କାଣ୍ଡ ପର୍ଯ୍ୟନ୍ତ ଆଇନ ବ୍ୟବସ୍ଥାକୁ ଏକ ଢାଲ ରୂପେ ବିଜେଡି ସରକାର ବ୍ୟବହାର କରିଛନ୍ତି । ଏପରିକି ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିବାର ଦୁଃସାହସ ମଧ୍ୟ ରାଜ୍ୟ ସରକାର କରୁଛନ୍ତି । ଫଳସ୍ୱରୁପ ଗୋଟିଏ କି ଦୁଇଟି ନୁହଁ, ୯୦୦୦ରୁ ଉର୍ଦ୍ଧ୍ୱ ଅଦାଲତ୍ ଅବମାନନା ମକଦ୍ଦମାର ସମ୍ମୁଖୀନ ହେଉଛନ୍ତି ରାଜ୍ୟ ସରକାର । ଏଥି ସକାଶେ ଖୋଦ୍ ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ ଉଦ୍‌ବେଗ ପ୍ରକାଶ କଲେଣି । ରାଜ୍ୟରେ ଆର୍ଥିକ ଶୃଙ୍ଖଳା ଓ ଆଇନର ଶାସନ ବାଟବଣା ହୋଇଛି ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।

ଆଡଭୋକେଟ୍ ଜେନେରାଲ୍‌ଙ୍କ ତଥ୍ୟାନୁଯାୟୀ, ଓଡିଶା ସରକାରଙ୍କର ୪୧ଟି ବିଭାଗ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନାହାଁନ୍ତି । ଯଦି ମାନ୍ୟବର ହାଇକୋର୍ଟଙ୍କ କୌଣସି ବିଚାରରେ ରାଜ୍ୟ ସରକାର ଅସନ୍ତୁଷ୍ଟ ଅଛନ୍ତି ତେବେ ୯୦ଦିନ ଭିତରେ ‘ସ୍ପେଶିଆଲ ଲିଭ୍ ପିଟିସନ୍‌’ (ଏସ୍‌ଏଲ୍‌ଭି) ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇପାରିବେ । କିନ୍ତୁ ଏହି ସମୟ ଅବଧିରେ ରାଜ୍ୟ ସରକାର ଏସ୍‌ଏଲ୍‌ଭିି ପାଇଁ ସୁପ୍ରିମକୋର୍ଟ ଯାଉନାହାଁନ୍ତିି । ମୋଟାମୋଟି କହିବାକୁ ଗଲେ ଅଦାଲତରେ ମକଦ୍ଦମା ପରିଚାଳନାର ବ୍ୟର୍ଥତା କାରଣରୁ ସରକାର ହାରୁଛନ୍ତି । ହାରି ସାରିବା ପରେ ଅଦାଲତଙ୍କର ନିର୍ଦ୍ଦେଶକୁ ମାନୁନାହାଁନ୍ତି ଏବଂ ସେ କାରଣରୁ ଯେଉଁ ଅଦାଲତ ଅବମାନନା ଅଭିଯୋଗ ହେଉଛି ତାହା କ୍ରମଶଃ ବଢିବାରେ ଲାଗିଛି । ଏହା ଫଳରେ କେବଳ ସରକାର ଯେ ବିଚାର ବିଭାଗକୁ ତାତ୍ସଲ୍ୟ କରୁଛନ୍ତି ତାହା ନୁହେଁ ବରଂ ରାଜ୍ୟ ସରକାରଙ୍କ ଅର୍ଥକୋଷ ଉପରେ ମଧ୍ୟ ଚାପ ପଡୁଛି । ଯାହାକି ଗରୀବ ଓଡିଆଙ୍କ କଷ୍ଟଲବ୍ଧ ଟିକସ ଅର୍ଥରେ ଭରଣା ହେଉଛି । ଆଇନ ପ୍ରତି ରାଜ୍ୟ ସରକାରଙ୍କ ଏହା କେଉଁ ପ୍ରକାରର ପ୍ରତିବଦ୍ଧତା ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାର ବିଧି ବ୍ୟବସ୍ଥାକୁ ଦଳିମକଚି ବାରମ୍ବାର ଟ୍ରେଜେରୀରୁ ପଇସା ଉଠାଇ ବିଭିନ୍ନ ବ୍ୟାଙ୍କରେ ଜମା କରିଦେଉଛନ୍ତି ।ଏହା ସମ୍ପୂର୍ଣ୍ଣ ବେଆଇନ ଏବଂ ଏ ପ୍ରକାର କାମ କରିବା ପାଇଁ ସରକାରୀ ଅଧିକାରୀଙ୍କୁ ଅନୁମତି ନାହିଁ । କେନ୍ଦ୍ରୀୟ ପ୍ରବର୍ତିତ ଯୋଜନାରେ ଆସୁଥିବା ଅର୍ଥ ପାଇଁ ଏକ ନିର୍ଦ୍ଦିଷ୍ଟ ସିଙ୍ଗଲ୍ ନୋଡାଲ୍ ଏଜେନ୍ସି ଆକାଉଂଟ୍ (ଏସ୍‌ଏନ୍‌ଏ ଆକାଉଂଟ)ରେ ଜମା କରିବା କଥା । ରାଜ୍ୟ ସରକାର ତାହା କରୁନାହାଁନ୍ତି । ରାଜକୋଷରୁ ଅର୍ଥ ଉଠାଯାଇ ଉଦ୍ଦିଷ୍ଟ ଯୋଜନାରେ ଖର୍ଚ୍ଚ କରାଯାଉନାହିଁ । ବରଂ ବେଆଇନ ଭାବେ ବ୍ୟାପକ ଅର୍ଥକୁ ବିଭିନ୍ନ ବ୍ୟାଙ୍କ୍ ଖାତାରେ ଜମା କରାଯାଉଛି । ଆୟ ହେଉଥିବା ସୁଧର ହିସାବ କିତାବ ମିଳୁନାହିଁ । ରାଜକୋଷରୁ ଅର୍ଥ ଉଠାଯାଇ ବ୍ୟାଙ୍କ୍‌ରେ ଜମା କରାଯାଇପାରିବ ନାହିଁ ବୋଲି ଗତ ୨୦୨୨ ଜୁଲାଇ ମାସରେ ତତ୍କାଳୀନ ଅର୍ଥ ସଚିବ ଶ୍ରୀ ଅଶୋକ ମୀନା “ଡ୍ରଇଂ ଆଣ୍ଡ ଡିସପର୍ସିଂ ଅଫିସର (ଡିଡିଓ)”ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ଅମାନ୍ୟ କଲେ “ଓଡିଶା ସିଭିଲ୍ ସର୍ଭିସ୍ ରୁଲ୍‌ସ୍‌-୧୯୬୨” ନିୟମାନୁଯାୟୀ ଦଣ୍ଡିତ ହେବେ ବୋଲି କହିଥିଲେ ସୁଦ୍ଧା ବର୍ତମାନ ସୁଦ୍ଧା ଜଣେ ହେଲେ ଦଣ୍ଡିତ ହୋଇନାହାଁନ୍ତି । ଏହା ହିଁ ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ଆର୍ଥିକ ଶୃଙ୍ଖଳାର ନଗ୍ନ ନମୁନା ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଏହି ଆର୍ଥିକ ବିଶୃଙ୍ଖଳାର ତୃଣମୁଳ ପ୍ରଭାବ ବର୍ତମାନ ଦୃଶ୍ୟମାନ ହେବାରେ ଲାଗିଛି । ଉଦାହରଣ ସ୍ୱରୁପ, କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକରେ ୯୯ଲକ୍ଷ ଟଙ୍କା ଟ୍ରେଜେରୀରୁ ଉଠିଛି କିନ୍ତୁ ଉଦ୍ଦିଷ୍ଟ ପ୍ରକଳ୍ପ / ଯୋଜନା ପାଇଁ ଖର୍ଚ୍ଚ ହୋଇନାହିଁ । ‘ଲୋକାଲ୍ ଅଡିଟ୍ ଫଣ୍ଡ୍‌’ ର ବିବରଣୀ ଅନୁଯାୟୀ ଉଠାଯାଇଥିବା ୯୯ଲକ୍ଷ ଟଙ୍କାର କୌଣସି ଦସ୍ତାବିଜ୍ ବା ଭାଉଚର୍ ନାହିଁ । ଏଥିରେ ଦ୍ୱାଦଶ ଅର୍ଥ କମିଶନ୍‌ର ୨୫ଲକ୍ଷ ୩୦ହଜାର, ବିଧବା ଭତାରୁ ୨୧ ଲକ୍ଷ ଟଙ୍କା, ବାର୍ଦ୍ଧକ୍ୟ ଭତା ୧୫ଲକ୍ଷ ଟଙ୍କା, ମନରେଗାର ୧୯ଲକ୍ଷ ଟଙ୍କା ଏବଂ ବିଧାୟକ ପାଂଠିର ୯୧ହଜାର ଟଙ୍କାର ହିସାବ ମିଳୁନାହିଁ । ଅର୍ଥାତ୍ ବିତୀୟ ଶୃଙ୍ଖଳା ରକ୍ଷା କରିବାର ଯେଉଁ ସର୍ବନିମ୍ନ ମାପଦଣ୍ଡ ଅଛି ରାଜ୍ୟ ସରକାର ତାକୁ ପାଳନ କରୁନାହାଁନ୍ତି । ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟ ଆଗାମୀ ଦିନରେ ରାଜ୍ୟର ଆର୍ଥୀକ ବ୍ୟବସ୍ଥାକୁ ବିରାଟ ସଂକଟ ଭିତରକୁ ଟାଣି ଆଣିବାର ସମ୍ଭାବନା ସୃଷ୍ଟି କରିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy