ବଡ଼ଚଣା: ଅମର ନୁହେଁ ଏଥର କ୍ୟାପଟେନ୍‌ଙ୍କ ଉପରେ ଭରସା!

0 467

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀରୁ ଅମର ଶତପଥି ନୁହେଁ, ଏଥର ନୂଆ ଚେହେରା ଉପରେ ମୋହର ବାଜିବ । ସର୍ଭେ ରିପୋର୍ଟ ପରେ ବଡଚଣାରୁ ‘ଅମରଙ୍କ ଯୁଗ ଶେଷ’ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଥିଲା । ପରେ ଅମର ନିଜର ଶକ୍ତି ପ୍ରଦର୍ଶନ କରି ଦଳ ଉପରେ ଚାପ ପକାଇଥିଲେ । ତାହା ମଧ୍ୟ ସଫଳ ହୋଇନଥିଲା । ପରେ ଅନେକ ନୂଆ ମୁହଁକୁ ନେଇ ଚର୍ଚ୍ଚା ହୋଇଥିଲା । ଏବେ କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ କ୍ୟାପଟେନ୍ ରାଜନାରାୟଣ ମହାପାତ୍ର ବିଜେଡିରେ ମିଶିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମର ନୁହେଁ ବରଂ କ୍ୟାପଟେନ୍‌ଙ୍କ ଉପରେ ଭରସା କରିବେ ବୋଲି କୁହାଯାଉଛି ।

ବିଜେଡି ଶିବିରରୁ ଅମର ନାସ୍ତିବାଣୀ ଶୁଣିବା ପରେ ଏଥର ବଡଚଣା ଆସନରୁ ନୂଆ ଚେହେରାଙ୍କୁ ପ୍ରାର୍ଥୀ ହେବା ନିଶ୍ଚିତ ହୋଇଥିଲା । ଏହି ନୂଆ ଚେହେରା ମଧ୍ୟରେ କ୍ୟାପେଟନ୍ ରାଜନାରାୟଣ ମହାପାତ୍ର, ମନୋରମା ଆଚାର୍ଯ୍ୟ ଓ ଜନ୍ମେଜୟ ଲେଙ୍କା (ବାପୁ)ଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏଥିସହିତ ଅମରଙ୍କ ପୁଅ କଥା ମଧ୍ୟ ଆଲୋଚନାକୁ ଆସିଥିଲା । ମାତ୍ର ଅମରଙ୍କ ଯୋଗୁଁ ତାଙ୍କ ପୁଅକୁ ମଧ୍ୟ ଲୋକେ ଗ୍ରହଣ କରିବେ ନାହିଁ ବୋଲି ଜଣାପଡିଥିଲା ।

ଏହା ପରେ ଅମର ଓ ତାଙ୍କ ପରିବାରକୁ ବାଦ୍ ଦେଇ ତୃତୀୟ ବ୍ୟକ୍ତି କଥା ଉଠିଥିଲା । ପରେ ଅମର ଶତପଥିଙ୍କ ବିରୋଧ ସତ୍ତ୍ୱେ କିଏ ବିରୋଧିଙ୍କୁ ମାତ ଦେଇପାରିବ, ତାହାକୁ ନେଇ ଦଳ ଅଙ୍କ କଷିବା ଆରମ୍ଭ କରିଥିଲା । ଏହିକ୍ରମରେ ପ୍ରଥମେ ଜନ୍ମେଜୟ ଲେଙ୍କାଙ୍କ କଥା ଉଠିଥିଲା । କଂଗ୍ରେସର ଟାଣୁଆ ଯୁବନେତା ବାପୁ ଓରଫ ଜନ୍ମେଜୟ ଲେଙ୍କା ୨୦୧୯ରେ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ । ଦୀର୍ଘ ୫ବର୍ଷ ହେଲା ସେ ବଡଚଣା ଅଞ୍ଚଳରେ ବିଜେଡି ସଂଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି । ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଠାରୁ ଆରମ୍ଭ କରି ଲୋକଙ୍କ ସୁବିଧା ଅସୁବିଧାରେ ଠିଆ ହେଉଛନ୍ତି । ତେଣୁ ଦଳ ତାଙ୍କ ଉପରେ ଏଥର ଭରସା କରିବେ ବୋଲି ଆଶା କରାଯାଉଥିଲା । ହେଲେ ଅମରଙ୍କ ବିରୋଧକୁ ସାମ୍ନା କରି ବିଜୟ ହେବା ସମ୍ଭାବନାକୁ ନେଇ ପ୍ରଶ୍ନ ଉଠିଥିଲା ।

ବିଜୟକୁ ନେଇ ଆଶା ଆଂଶଙ୍କା ଦେଖାଦେବା ପରେ କ୍ୟାପଟେନ୍ ରାଜନାରାୟଣ ମହାପାତ୍ରଙ୍କ ମିଶ୍ରଣ ଉପରେ ଦଳ ବିଚାର କରାଯାଇଥିଲା । କଂଗ୍ରେସ ସଂଗଠନ ସହିତ ଯୁବନେତା ଭାବେ କ୍ୟାପେଟେନ୍‌ଙ୍କର ବଡଚଣାରେ ପ୍ରଭାବ ମଧ୍ୟ ରହିଛି । ଜନ୍ମେଜୟ ଓ କ୍ୟାପଟେନ୍ ମିଳିତ ଭାବେ ନିର୍ବାଚନ ଲଢିଲେ, ବିଜୟ ସୁନିଶ୍ଚିତ ବୋଲି ଦଳର ହୃଦ୍‌ବୋଧ ହୋଇଥିଲା । ପରେ ତାଙ୍କୁ ଦଳରେ ସାମିଲ କରିବାକୁ ଦଳ ନିଷ୍ପତ୍ତି ନେଇଥିଲା । ପରେ ଆଜି କ୍ୟାପଟେନ୍ ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ଜନ୍ମେଜୟ ଲେଙ୍କା ମଧ୍ୟ ଉପସ୍ଥିତ ଥିଲେ । କ୍ୟାପଟେନ୍‌ଙ୍କ ମିଶ୍ରଣ ପରେ ଜନ୍ମେଜୟ ବେଶ ଖୁସି ଥିବା ମଧ୍ୟ ଲକ୍ଷ୍ୟ କରାଯାଇଥିଲା । ଏହାକୁ ଅନୁଧ୍ୟାନ କଲେ ଦଳ କ୍ୟାପଟେନ୍‌ଙ୍କୁ ଟିକେଟ ଦେବା ଏକ ପ୍ରକାର ନିଶ୍ଚିତ ବୋଲି ମନେ ହେଉଛି ।

ଅନ୍ୟପକ୍ଷରେ ଏହି ମିଶ୍ରଣ ପର୍ବରେ ବିଧାୟକ ଅମର ଶତପଥି ଅନୁପସ୍ଥିତ ଥିଲେ । ଯାହା ‘ଅମରଙ୍କ ଯୁଗଶେଷ’ର ପ୍ରମାଣ ଯୋଗାଇଥିଲା । ତେବେ ଅମରଙ୍କୁ ବାଦ୍ ଦେଇ ଦଳ କ୍ୟାପଟେନ୍ ଓ ଜନ୍ମେଜୟଙ୍କ ମଧ୍ୟରୁ ଯାହାକୁ ବି ଟିକେଟ ଦେବ, ବଡଚଣାବାସୀ ତାଙ୍କୁ ସମର୍ଥନ ଦେବେ ବୋଲି ଆଜିର ମିଶ୍ରଣ ପର୍ବରେ ସାମିଲ ହୋଇଥିବା ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy