ଶଶୀଙ୍କୁ କେନ୍ଦ୍ରାପଡା ମନା, ବୈଠକରୁ ମନ ଦୁଃଖରେ ଫେରିଲେ!

0 672

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଏଥର ଶଶୀ ଭୂଷଣ ବେହେରାଙ୍କୁ କେନ୍ଦ୍ରାପଡା ମନା ହୋଇଛି । ୨୦୧୯ରେ ହଠାତ୍ କେନ୍ଦ୍ରାପଡା ବିଧାନସଭା ଆସନରୁ ଟିକେଟ ପାଇ ଶଶୀଭୂଷଣ ବେହେରା ବିଧାୟକ ହୋଇଥିଲେ । ଏଥର କିନ୍ତୁ ତାଙ୍କୁ ଆଉ କେନ୍ଦ୍ରାପଡାରୁ ଟିକେଟ ମିଳିବନି । ଯଦିଓ ଏହା ସ୍ପଷ୍ଟ ହୋଇନାହିଁ, ତେବେ ଗତକାଲି ନବୀନ ନିବାସ ବୈଠକ ଅଧାରୁ ମନଦୁଃଖରେ ଫେରିବା ପରେ ଏଭଳି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ଗତକାଲି ନବୀନ ନିବାସରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ବୈଠକ ବସିଥିଲା । ଏଥିରେ କେନ୍ଦ୍ରାପଡା ଲୋକସଭା ଅଧୀନସ୍ଥ ୭ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକମାନେ ସାମିଲ ହୋଇଥିଲେ । ଆଳିର ପ୍ରତାପ ଦେବ, ମହାକାଳପଡାର ଅତନୁ ସବ୍ୟସାଚ୍ଚୀ ନାୟକ, ରାଜନଗରର ଧ୍ରୁବ ସାହୁ, କେନ୍ଦ୍ରାପଡାର ଶଶୀଭୂଷଣ ବେହେରା, ପାଟକୁରାର ସାବିତ୍ରୀ ଅଗ୍ରୱାଲ, ମାହାଙ୍ଗାର ପ୍ରତାପ ଜେନା ଓ ସାଲେପୁରର ପ୍ରଶାନ୍ତ ବେହେରା ଉପସ୍ଥିତ ଥିଲେ । ବିଧାୟକଙ୍କ ବାଦ୍ ଯୁବ ନେତା ଅଂଶୁମାନ ମହାନ୍ତି ଓ ଅରବିନ୍ଦ ମହାପାତ୍ରଙ୍କୁ ମଧ୍ୟ ବୈଠକକୁ ଡକାଯାଇଥିଲା ।

ବେଶ କିଛି ସମୟ ପାଇଁ ବୈଠକରେ ମାନସ ମନ୍ଥନ କରାଯାଇଥିଲା । ପ୍ରାୟ ୧ଘଣ୍ଟା ପରେ ବିଧାୟକ ଶଶୀଭୂଷଣ ବେହେରା ଓ ସାବିତ୍ରୀ ଅଗ୍ରୱାଲ ବାହାରକୁ ଆସିଥିଲେ । ଦୁହିଁଙ୍କ ମୁହଁରୁ ହସ ଉଭାନ ହୋଇଯାଇଥିଲା । ଗଣମାଧ୍ୟମକୁ କିଛି ନକହି ନୁହେଁ ନିଜ ରାସ୍ତାରେ ଚାଲିଯାଇଥିଲେ । ଏହାର ପ୍ରାୟ ଦେଢ ଘଣ୍ଟା ପରେ ଅନ୍ୟମାନେ ହସି ହସି ବାହାରକୁ ଆସିଥିଲେ । ଏହି ପରିବେଶ ସୂଚାଇଥିଲା ଯେ, ଏଥର କେନ୍ଦ୍ରାପଡା ଓ ପାଟକୁରାରୁ ଦୁଇ ବିଧାୟକ ରିପିଟ୍ ହେବେ ନାହିଁ ।

ଏନେଇ ଜଣେ ବରିଷ୍ଠ ବିଜେଡି ନେତା କହିଛନ୍ତି, କେନ୍ଦ୍ରାପଡାରେ ଜୁନ୍ ୧ରେ ମତଦାନ ହେବ । ଏଥିପାଇଁ ଆହୁରି ଦୁଇ ମାସରୁ ଅଧିକ ସମୟ ବାକି ଅଛି । ତେଣୁ ସାଂଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ବୈଠକରେ କୁହାଯାଇଛି । ଏଥିପାଇଁ ପ୍ରତି ଗାଁରେ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିବାକୁ କୁହାଯାଇଥିଲା । ତେବେ ପ୍ରାର୍ଥୀ ଚୟନ ନେଇ କୌଣସି ସ୍ପଷ୍ଟ ଆଲୋଚନା ହୋଇନଥିଲେ ମଧ୍ୟ ଅଂଶୁମାନ ମହାନ୍ତି ସାଂସଦ ଭାବେ ଲଢିପାରନ୍ତି । ସେହିପରି ଶଶୀଭୂଷଣ ବେହେରା ଓ ସାବିତ୍ରୀ ଅଗ୍ରୱାଲଙ୍କ ସ୍ଥାନରେ ଦଳ ନୂଆ ମୁହଁ ଦେବାକୁ ଚିନ୍ତା କରୁଛି । ତେଣୁ ଏକଥାରୁ ଏକ ପ୍ରକାର ସ୍ପଷ୍ଠ ହୋଇଛି ଯେ, ଶଶୀଭୂଷଣଙ୍କୁ ଏଥର କେନ୍ଦ୍ରାପଡା ମନା ।

ଉଲ୍ଲେଖଥାଉ କି, ବିଧାୟକଙ୍କ କାର୍ଯ୍ୟକୁ ନେଇ ଦଳ ଅସନ୍ତୁଷ୍ଟ ରହିଛି । ନିର୍ବାଚନ ମଣ୍ଡଳୀରେ ମଧ୍ୟ ଶାଶୀଙ୍କୁ ବିରୋଧ କରାଯିବା ସହ ଅଣ୍ଡା ଓ ଟମାଟୋ ମାଡ କରାଯାଇଛି । ତୃଣମୂଳସ୍ତର ନେତା ଓ କର୍ମୀମାନେ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଫଳରେ ଦଳ ତାଙ୍କୁ ଆଉ ଟିକେଟ ଦେଇ ରିସ୍କ ନେବାକୁ ନାହୁଁନାହିଁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy