ଏସିଆ କପ୍ ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମୁକାବିଲା

0 709

ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସଂଘର୍ଷ ହେବ । ଭାରତ ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଗତକାଲି ଶ୍ରୀଲଙ୍କା ପାକିସ୍ତାନକୁ ହରାଇ ଫାଇନାଲକୁ ଟିକେଟ କାଟି୍‌ଥିଲା । ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ସୁପର-୪ର ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ । ତେବେ ଗତକାଲି ଶ୍ରୀଲଙ୍କା ଓ ପାକିସ୍ତାନ ମ୍ୟାଚ ବେଶ ରୋମାଞ୍ଚର ଥିଲା ।

ଗୁରୁବାର ଅନୁଷ୍ଠିତ ସୁପର- ୪ ରାଉଣ୍ଡର ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶ୍ରୀଲଙ୍କା ୨ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଛି । ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୨ ଓଭରରେ ୭ ୱିକେଟ୍‌ ହରାଇ ୨୫୨ ରନ୍‌ ସଂଗ୍ରହ କରିଥିଲା ।

ଜବାବରେ ଶ୍ରୀଲଙ୍କା ୮ ୱିକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା । ଏହି ମ୍ୟାଚ୍‌ରେ ବର୍ଷା ବଧା ଉପୁଯାଇଥିଲେ ହେଁ ଶ୍ରୀଲଙ୍କାର ବିଜୟକୁ ରୋକି ପାରି ନଥିଲା । ଶେଷ ବଲ୍‌ ପର୍ଯ୍ୟନ୍ତ ଘମାଘୋଟ ଲଢେଇ ଜାରି ରହିଥିଲା । ଶେଷ ଓଭରରେ ବିଜୟ ପାଇଁ ୮ ରନ୍‌ ଆବଶ୍ୟକ ହେଉଥିଲା । ପ୍ରଥମ ୪ଟି ବଲରେ ୨ ରନ୍‌ ସଂଗୃହୀତ ହୋଇଥିଲା ଓ ଅଷ୍ଟମ ୱିକେଟ୍‌ର ପତନ ଘଟିଥିଲା । ମାତ୍ର ପଞ୍ଚମ ବଲ୍‌ରେ ଚରିଥ ଆଶାଲଙ୍କା ଚୌକା ମାରିଥିଲେ ।

ଶେଷ ବଲରେ ବାକି ରନ୍ ଅଟକାଇବାକୁ ପାକିସ୍ତାନ ଜୋରଦାର ପ୍ରୟାସ କରିଥିଲେ ହେଁ ସଫଳ ହୋଇପାରି ନଥିଲା । ପାକିସ୍ତାନର ଶକ୍ତିଶାଳୀ ବୋଲିଂ ବିପକ୍ଷରେ ୨୫୩ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିବା ସହଜ ନଥିଲା । ଶ୍ରୀଲଙ୍କା ୨୦ ରନ୍‌ରେ କୁଶଲ ପେରେରା (୧୭)ଙ୍କୁ ହରାଇଥିଲା । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା କୁଶଲ ମେଣ୍ଡିସ୍‌ ଓ ଅପରାଜିତ ଓପନର ପଥୁମ ନିଶଙ୍କା ଦଳୀୟ ସ୍କୋରକୁ ୭୭ରେ ପହଞ୍ଚାଇଥିଲେ । ନିଶଙ୍କା ୨୯ ରନ୍‌ କରି ଆଉଟ୍‌ ହୋଇଥିଲେ ।

ମେଣ୍ଡିସଙ୍କ ସହ ସଦିରା ସମରବିକ୍ରମା କ୍ରିଜରେ ଯୋଗ ଦେବା ପରେ ଘରୋଇ ଦଳର ସ୍ଥିତି ସୁଧୁରିଥିଲା । ଉଭୟ ୧୦୦ ରନ୍‌ର ଭାଗିଦାରୀ ଗଢି ବିଜୟ ଆଶା ଉଜ୍ଜ୍ୱଳ କରିଥିଲେ । ଦଳୀୟ ସ୍କୋର ୧୭୭ ବେଳେ ସମରବିକ୍ରମା ବ୍ୟକ୍ତିଗତ ୪୮ ରନ୍‌ କରି ଆଉଟ୍ ହୋଇଥିଲେ । ମେଣ୍ଡିସ ଦର୍ଶନୀୟ ସଟ୍‌ମାନ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଦଳୀୟ ସ୍କୋର ୨୧୦ରେ ପହଞ୍ଚିଥିଲା । ଏତିକି ବେଳେ ମେଣ୍ଡିସ(୯୧)ଙ୍କୁ ଆଉଟ୍‌ କରି ଇଫତିଖର ଅହମ୍ମଦ ବାଜି ପଲଟାଇ ଦେଇଥିଲେ । ଏଥର ଆଶାଲଙ୍କାଙ୍କ ଉପରେ ଦଳର ଭାଗ୍ୟ ନିର୍ଭର କରୁଥିଲା । ଡାସୁନ ଶଣକା(୨) ନିରାଶ କରିଥିଲେ ।

୪୦ ଓଭରରେ ଦଳୀୟ ସ୍କୋର ୨୪୦ରେ ପହଞ୍ଚି ସାରିଥିଲା । ଶେଷ ୨ ଓଭରରେ ବିଜୟ ପାଇଁ ବାକିଥିଲା ୧୨ ରନ । ସହିନ ଆଫ୍ରିଦି ୪୧ତମ ଓଭରରେ ୨ଟି ୱିକେଟ୍‌ ନେଇ ଉତ୍ସାହ ଭରି ଦେଇଥିଲେ । ମାତ୍ର ଆଶାଲଙ୍କା ଶେଷ ବଲ୍‌ ପର୍ଯ୍ୟନ୍ତ ଲଢେଇ ଜାରି ରଖି ଦଳକୁ ବିଜୟୀ କରାଇଥିଲେ । ସେ ୩ଚୌକା ଓ ୧ ଛକା ବଳରେ ୪୯ ରନ୍‌ କରିଥିଲେ । ଆଜି ଟସ୍‌ ଜିତି ପାକିସ୍ତାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବର୍ଷା ଯୋଗୁ ମ୍ୟାଚ୍‌କୁ ୪୨ଓଭର ବିଶିଷ୍ଟ କରାଯାଇଥିଲା ।

ପାକିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ମଧ୍ୟ ଭାଗରେ ମହମ୍ମଦ ରିଜୱାନ ଓ ଇଫତିଖର ଅହମ୍ମଦ ଆକ୍ରମଣାତ୍ମକ ସଟ୍‌ମାନ ଖେଳି ପଞ୍ଚମ ୱିକେଟ୍‌ରେ ଉଭୟ ୧୦୮ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୨୩୮ବେଳେ ଇଫତିଖର ୪୭ (୩ଚୌକା ଓ ୨ଛକା) ରନ୍‌ କରି ଆଉଟ୍‌ ହୋଇଥିଲେ । ରିଜୱାନ ଗୋଟିଏ ପଟେ ଆକ୍ରମଣ ଜାରି ରଖି ଦଳୀୟ ସ୍କୋରକୁ ୨୫୨ରେ ପହଞ୍ଚାଇଥିଲେ । ସେ ୭୩ଟି ବଲ୍‌ରୁ ୬ଚୌକା ଓ ୨ଛକା ବଳରେ ୮୬ ରନ୍‌ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ପତିରଣା ୩ଟି ଓ ପ୍ରମୋଦ ମଦୁସନ ୨ଟି ୱିକେଟ୍‌ ନେଇଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy