୮ମ ଥର ଏସିଆ କପ୍ ଚାମ୍ପିୟନ ହେଲା ଟିମ୍ ଇଣ୍ଡିଆ

0 681

କଲମ୍ବୋ: ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ୧୦ ଓ୍ବିକେଟରେ ହରାଇ ୮ମ ଥର ପାଇଁ ଏସିଆ କପ୍ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା ଦ୍ବାରା ରଖାଯାଇଥିବା ୫୧ ରନ ଟାର୍ଗେଟକୁ ୬.୧ ତମ ଓଭରରେ ହାସଲ କରିନେଇଥିଲା ଭାରତ । ଭାରତ ପକ୍ଷରୁ ଶୁଭମନ ଗିଲ ୨୭ ରନ ଓ ଇଶାନ କିଷନ ୨୩ ରନ କରିଥିଲେ । ତେବେ ମ୍ୟାଚର ପ୍ରକୃତ ହିରୋ ଥିଲେ ମହମ୍ମଦ ସିରାଜ । ଘାତକ ବୋଲିଂ କରି ସେ ଭାରତୀୟ ବ୍ୟାଟ୍ସମାନଙ୍କ ପାଇଁ ସ୍ଥିତିକୁ ସହଜ କରିଦେଇଥିଲେ । ସେ ୨୧ ରନ ଦେଇ ୬ଟି ଓ୍ବିକେଟ ନେଇଥିଲେ । ଭାରତ ପୂର୍ବରୁ ୧୯୮୪, ୧୯୮୮, ୧୯୯୧, ୧୯୯୫, ୨୦୧୦, ୨୦୧୬ ଓ ୨୦୧୮ରେ ଏସିଆ କପ୍ ଚାମ୍ପିଅନ ହୋଇଥିଲା ।

ଆଜିର ବିଜୟକୁ ମିଶାଇ ଭାରତ ମୋଟ ୮ଥର, ଶ୍ରୀଲଙ୍କା ୬ଥର ଓ ପାକିସ୍ତାନ ୨ ଥର ଚାମ୍ପିଅନ ହୋଇଛି । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । କିନ୍ତୁ ଶ୍ରୀଲଙ୍କାର ଏହି ନିଷ୍ପତ୍ତିକୁ ଆରମ୍ଭରୁ ହିଁ ଭୁଲ ପ୍ରମାଣିତ କରିଦେଲେ ଭାରତର ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ । ପ୍ରଥମ ଓଭରରେ ହିଁ ବୁମରା ଶ୍ରୀଲଙ୍କାର କୁଶଲ ପରେରାଙ୍କୁ ଆଉଟ କରିଦେଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ସିରାଜଙ୍କ ଅଗ୍ନିବର୍ଷୀ ବୋଲିଂ ।  ସେ ଭାରତର ୪ର୍ଥ ଓ ବ୍ୟକ୍ତିଗତ ଭାବେ ନିଜର ୨ୟ ଓଭର ବୋଲିଂ କରିବାକୁ ଆସି ଶ୍ରୀଲଙ୍କା ଟିମର ଅଣ୍ଟା ଭାଙ୍ଗିଦେଲେ । ଏହି ଓଭରରେ ସେ ଶ୍ରୀଲଙ୍କାର ୪ ଜଣ ବ୍ୟାଟ୍ସମ୍ୟାନ-ପ୍ରଥୁମ ନିଶଙ୍କା, ସଦିରା ସମରବିକ୍ରମା, ଚରିଥ୍ ଅସଲଙ୍କା ଓ ଧନଞ୍ଜୟ ଡିସିଲଭାଙ୍କୁ ପାଭିଲିୟନ ଫେରାଇଥିଲେ ।

ସେହିପରି ନିଜର ୩ୟ ଓଭରରେ ସେ ସନକାଙ୍କୁ ବୋଲଡ୍ କରିଦେଇଥିଲେ । ସେତେବେଳେ ଶ୍ରୀଲଙ୍କାର ସ୍କୋର ମାତ୍ର ୧୨ ରନ ଥିଲା ଓ ଦଳ ୬ଟି ଓ୍ବିକେଟ ହରାଇଥିଲା । ପରେ ସିରାଜ  ନିଜର ୬ଷ୍ଠ ଓଭର ବୋଲିଂ କରିବାକୁ ଆସି କୁଶଲ ମେଣ୍ଡିସଙ୍କୁ ଆଉଟ୍ କରିଦେଇଥିଲେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବୋଲିଂ କରିବାକୁ ଆସି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିଥିଲେ । ସେ ମୋଟ ୩ଟି ଓ୍ବିକେଟ ନେଇଥିଲେ ।  ଶ୍ରୀଲଙ୍କା ୧୫.୨ ଓଭରରେ ୫୦ ରନ କରି ଅଲଆଉଟ ହୋଇଯାଇଥିଲା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy