ଏଥର ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଜଗିବ AI କ୍ୟାମେରା

0 460

ଭୁବନେଶ୍ୱର,(ରିପୋଟର୍ସ ପେନ) : ଏଥର ମାଟ୍ରିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଜଗିବ AI ବା ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ବେସଡ୍‌ କ୍ୟାମେରା। ପରୀକ୍ଷା ପରିଚାଳନାରେ ସୁଧାର ଆଣିବା ସହ କପି ଓ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ପ୍ରଥମ ଥର ବୋର୍ଡ଼ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଖବର ଅନୁଯାୟୀ, ଏଥିପାଇଁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏକ କମାଣ୍ଡ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏହି କଣ୍ଟୋଲ ରୁମରୁ ବୋର୍ଡ଼ କର୍ତ୍ତୃପକ୍ଷ ରାଜ୍ୟର ବିଭିନ୍ନ ମାଟ୍ରିକ୍ ପରୀକ୍ଷା କେନ୍ଦ୍ରର ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିପାରିବେ । ଏହା ଉପରେ ନଜର ରଖିବା ପାଇଁ ୨୦ ଜଣ ପର୍ଯ୍ୟବେକ୍ଷକ, ୩ ଜଣ ଅଭିଜ୍ଞ ବୈଷୟିକ ବିଶେଷଜ୍ଞ ଓ ଶିକ୍ଷା ବିଭାଗର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ବତନ୍ତ୍ର ଭାବେ ନିୟୋଜିତ କରାଯାଇଛି । ଏହି କ୍ୟାମେରା କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ଆପେ ଆପେ ଜୁମ୍‌-ଇନ୍ ଇଫେକ୍ଟ କାର୍ଯ୍ୟକାରୀ କରିବ ଏବଂ ଗତିବିଧିକୁ ଅତ୍ୟନ୍ତ ପାଖରୁ ନିରୀକ୍ଷଣ କରିବ । ପରୀକ୍ଷାର୍ଥୀଙ୍କ ଆଖି ଓ ହାବଭାବ ଦେଖି ମଧ୍ୟ ଅନେକ କିଛି ଠଉରାଇପାରିବ । ଏହାଛଡ଼ା AI ବେସଡ୍ କ୍ୟାମେରା ସଂପୂର୍ଣ୍ଣ ପରୀକ୍ଷାକେନ୍ଦ୍ର ଉପରେ ମଧ୍ୟ ନଜର ରଖିବ ।

ଅନ୍ୟପେଟ ଶନିବାର ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ବଥୀ ଏସ୍. ୩୦ଟି ଯାକ ଜିଲ୍ଲାର ଶିକ୍ଷାଧିକାରୀମାନଙ୍କୁ ନେଇ ଭିଡ଼ିଓ କନଫରେନସିଂରେ ପରୀକ୍ଷା ପରିଚାଳନା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ଅନ୍ୟପଟେ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀଙ୍କ ଅବହେଳା ଓ ଅନିୟମିତତା ନଜରକୁ ଆସିଲେ କଠୋର କାର୍ଯ୍ୟନୁଷ୍ଠାନ ଲାଗି ଡ଼ିଇଓମାନଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ପ୍ରକାଶ ଥାଉ କି, ମାଟ୍ରିକ ପରୀକ୍ଷା ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ । ଏଥର ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।  ସେଥିପାଇଁ ବୋର୍ଡ଼ ପକ୍ଷରୁ ୩୦୭୩ଟି ସେଣ୍ଟର କରାଯାଇଥିବା ବେଳେ ୨୧ଟି ପୋଲିସ ସେଣ୍ଟରରେ ନୋଡ଼ାଲ ସେଣ୍ଟର କରାଯାଇଛି । ଚଳିତବର୍ଷ ପରୀକ୍ଷା ପରିଚାଳନାରେ ସୁଧାର ଆଣିବା ପାଇଁ ବୋର୍ଡ ପକ୍ଷରୁ ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ ଲଗାଯାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy