ଚକେଇସିହାଣୀରୁ ବଡ ଧରଣର ଚୋରି, ୨୦ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍‌

0 1,554

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମଞ୍ଚେଶ୍ୱର ଥାନା ଚକେଇସିହାଣୀରୁ ଏକ ବଡ ଧରଣର ଚୋରି ହୋଇଛି । ଝିଅ ବାହାଘର ଲାଗି ଘରେ ଥିବା ନଗଦ ୨୦ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍ ହୋଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମଞ୍ଚେଶ୍ୱର ଅଞ୍ଚଳରେ ଏଭଳି ଘଟଣା ନୂଆ ନୁହେଁ ବରଂ ଗତ କିଛିଦିନ ଭିତରେ ଏଭଳି ଏକାଧିକ ଘଟଣା ଘଟିଛି ।

ସୂଚନା ଅନୁସାରେ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ପ୍ଲଟ ନମ୍ବର ୩୩୧୧ ଯାଜପୁର ଜଅଞ୍ଚଳର ଦେବଦତ୍ତ ସାମଲଙ୍କ ପରିବାର ରୁହନ୍ତି । ଗତ ୨୪ ତାରିଖ ଦିନ ସେ ସପରିବାର ଦେଓଘର ବୁଲିବାକୁ ଯାଇଥିଲେ । ହେଲେ ଘର ଚାପି ପଡୋଶୀ ଭଡାଟିଆଙ୍କୁ ଦେଇଯାଇଥିଲେ । ହେଲେ ଗତକାଲି ଭୋରୁ କେହି ତାଙ୍କ ତାଲା ଭାଙ୍ଗି ଆଲମାରୀରେ ଥିବା ୨୦ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି । ଦୁର୍ବୃତ୍ତମାନେ ଲୁହା ରଡ଼ ସାହାଯ୍ୟରେ ଆଲମୀରା ଲକର ତାଡି ସର୍ବସ୍ୱ ଲୁଟି ନେଇଛନ୍ତି ।

ସକାଳୁ ଏହା ଜାଣିବା ପରେ ସେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଉକ୍ତ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ଖୋଳତାଡ କରୁଥିବା ବେଳେ ଅଭିଯୋଗକାରୀ ଭଡାଟିଆଙ୍କୁ ସନ୍ଦେହ କରୁଛନ୍ତି । ପୋଲିସ ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଚଳାଇଛି ।

ଉଲ୍ଲେଖଯୋଗ୍ୟ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣର ସ୍ପେସଟାଉନ ଆପାର୍ଟମେଣ୍ଟରୁ ଗତ ଡିସେମ୍ବର ୧୧ରୁ ଏକାକାଳୀନ ୫ଟି ଫ୍ଲାଟରୁ ଲୁଟ୍ ହୋଇଥିଲା । ସେହି କେସରେ ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଥିଲେ ସୁଧା ଅନ୍ଧାରରେ ଆଜି ଯାଏଁ ବାଡ଼ି ବୁଲାଉଛି । ସେପଟେ ଚକେଇସିଆଣିରେ ଘର ମାଲିକଙ୍କ ପରିବାର ବାହାରକୁ ଯିବାବେଳେ ଭଡାଟିଆଙ୍କୁ ଘର ଚାବି ଦେଇଥିଲେ । ଏଣୁ ସେମାନଙ୍କ ସମ୍ପୃକ୍ତି ନେଇ ଏତଲାରେ ଦର୍ଶାଯାଇଥିବା ବେଳେ ଭଡାରେ ରହୁଥିବା ମହିଳା ଏହାକୁ ଖଣ୍ଡନ କରିଛନ୍ତି । ଲୁଟ୍ ଘଟଣାରେ ଯିଏ ବି ସମ୍ପୃକ୍ତ ତାକୁ ଖୁବଶୀଘ୍ର ଧରାଯିବ ବୋଲି ଡିସିପି କହିଛନ୍ତି ।

ଅପରପକ୍ଷରେ ନୂଆ ଥାନାଧିକାରୀ କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କର ଲୋକସମ୍ପର୍କ ଅଭାବ ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ଫଳରେ ଅପରାଧୀମାନେ ଏହାର ଫାଇଦା ନେଉଛନ୍ତି । ଏପରିକି ନିଜ ଅଞ୍ଚଳରେ କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କରାଯାଉଛି, ଅଥଚ ଥାନା ଅଧିକାରୀ କିଛି ନପାରିବା, ହାସ୍ୟାସ୍ପଦ କଥା ଛଡା ଆଉ କିଛି ହୋଇନପାରେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy