୫ଟି ଫ୍ଲାଟରୁ କୋଟିଏ ଲୁଟିନେଲେ, ପୋଲିସ ଜଳକା

0 1,198

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବେଶ କିଛିଦିନ ହେଲା ରାଜଧାନୀ ଭୁବନେଶ୍ୱର ଓ ଉପକଣ୍ଠରେ ଲୁଟେରାଙ୍କ ଆତଙ୍କରାଜ ଜାରି ରହିଛି । ପ୍ରାୟ ପ୍ରତିଦିନ କେଉଁଠି ନା କେଉଁଠି ଲୁଟ୍‌ପାଟ ହେଉଛି । ସେ ଘର ହେଉ ଅବା ଆପାର୍ଟମେଣ୍ଟଲୁଟେରା ଗ୍ୟାଙ୍ଗ ନିମିଷକେ ଭିତରେ ପଶି କଳାକନା ବୁଲାଇଦେଉଛନ୍ତି । ଏପରିକି ଲୁଟେରାମାନେ ଏକ୍ସ-ପୋଲିସ ଡିଜି ଓ ବିଚାରପତିଙ୍କୁ ଛାଡିନାହାନ୍ତି । ଲୁଟେରାଙ୍କ ଏଭଳି ଅପରେସନ୍ କମିଶନରେଟ୍ ପୋଲିସର ନିଦ ହଜାଇ ଦେଇଥିବା ବେଳେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ସୋମବାର ରାତିରେ ଗାଡକଣର ଏକ ଆପାର୍ଟମେଣ୍ଟରୁ ସିରିଜ ଚୋରି କମିଶନରେଟ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।

ସୂଚନା ଅନୁସାରେ, ମଞ୍ଚେଶ୍ୱର ଥାନା ଗାଡ଼କଣରେ ଥିବା ସ୍ପେସ୍ ଟାଉନ ଆପାର୍ଟମେଣ୍ଟରୁ ସିରିଜ ଲୁଟ ହୋଇଛି । ସେଠାରେ ରହୁଥିବା ଦେବାଶିଷ ନାୟକ, ସରୋଜ ସାହୁଙ୍କ ଘର ସମେତ ଅନ୍ୟ ୩ଟି ଫ୍ଲାଟରୁ ମଧ୍ୟ ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଛନ୍ତି । ଲୁଟେରାମାନେ ପ୍ରାୟ କୋଟିଏ ଟଙ୍କାର ଜିନିଷ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏହି ଆପାର୍ଟମେଣ୍ଟରେ ଦେବାଶିଷ ନାୟକ, ସରୋଜ ସାହୁଙ୍କ ଭଳି କିଛି ଲୋକ ଅଧିକାଂଶ ସମୟରେ ସେଠାରେ ରୁହନ୍ତି ନାହିଁ । ଲୁଟେରାମାନେ ଏହାର ଫାଇଦା ଉଠାଇଛନ୍ତି । ଗତକାଲି ଫ୍ଲାଟରେ କେହି ନଥିବା ବେଳେ ଲୁଟେରାମାନେ ସାଧାରଣ ଲୋକଙ୍କ ଭଳି ମୁଖ୍ୟ ଫାଟକ ଦେଇ ଆପାର୍ଟମେଣ୍ଟ ଭିତରକୁ ଯାଇଥିଲେ । ସୁରକ୍ଷାକର୍ମୀ ମଧ୍ୟ ସେମାନଙ୍କୁ ଅନାୟସରେ ଛାଡି ଦେଇଥିଲା ।

ହେଲେ ସେମାନେ ଆଉ ସେପଟେ ଫେରିନଥିଲେ । ସକାଳୁ ଫ୍ଲାଟର କବାଟ ଭାଙ୍ଗା ଯାଇଥିବା ଓ ଚୋରି ହୋଇଥିବା ଜଣାପଡିଥିଲା । ଏନେଇ ଦେବାଶିଷ ନାୟକ, ସରୋଜ ସାହୁ ତୁରନ୍ତ ପହଞ୍ଚି ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ । ଏତଲା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ମାତ୍ର ଲୁଟେରାଙ୍କ କୌଣସି ଟେର ପାଇପାରିନାହିଁ । କେବଳ ଏହି ଗୋଟିଏ ଘଟଣା ନୁହେଁ ବରଂ ଏହା ପୂର୍ବରୁ ଏଭଳି ଏକାଧିକ ଘଟଣା ଘଟିଛି ଓ କେବଳ ଜଳକା ପରି ଚାହିଁ ରହିଛି ।

ଉଲ୍ଲେଖଥାଉ କି, କିଛିଦିନ ତଳେ ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ସିରିଜ ଲୁଟ୍ ଓ ଭରତପୁରରେ ଥିବା ଶ୍ରୀକ୍ଷେତ୍ର ରେସିଡେନ୍ସି ଆପାର୍ଟମେଣ୍ଟରୁ ଚୋରି ଲୋକଙ୍କ ମନରୁ ନଲିଭୁଣୁ ଏବେ ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଚୋରି ହୋଇଛି । ଫ୍ଲାଟରେ କେହି ନଥିବା ବେଳେ ଲୁଟେରାମାନେ ଆପାର୍ଟମେଣ୍ଟରେ ପଶି କଳାକନା ବୁଲାଇ ଦେଇଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଛାନଭିନ ଚଳାଇଛି ।

ଏନେଇ ପୋଲିସ କମିଶନର ଗଣମାଧ୍ୟମକୁ କହିଛନ୍ତି, ଆପାର୍ଟମେଣ୍ଟରୁ ଚୋରି ଆମ ପାଇଁ ଚାଲେଞ୍ଜ ହୋଇଛି । ସହର ବଢ଼ୁଥିବାରୁ ବିଭିନ୍ନ ଅଂଚଳରେ ଆପାର୍ଟମେଣ୍ଟ ତିଆରି ହେଉଛି । ଏହା ପୂର୍ବରୁ ମଧ୍ୟ କିଛି ଆପାର୍ଟମେଣ୍ଟରୁ ଚୋରି ହୋଇଛି । ଅପରାଧୀଙ୍କୁ ଧରିବା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ । ପୂର୍ବରୁ ମଧ୍ୟ ଆପାର୍ଟମେଣ୍ଟ ବାସିନ୍ଦାକୁ ଆମେ ନିଜ ସୁରକ୍ଷା ପାଇଁ ନିବେଦନ କରିଥିଲୁ । ସବୁ କାମ ଲୋକଙ୍କ ଉପରେ ଛାଡି ଦେବା ଠିକ ନୁହେଁ । ଆମେ ମଧ୍ୟ ସବୁ ଅଞ୍ଚଳର ସୁରକ୍ଷା ଉପରେ ଧ୍ୟାନ ଦେଉଛୁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy