ଫିଲ୍ମ ଷ୍ଟାଇଲରେ ନିଶା ବେପାରୀଙ୍କୁ ଧରିଲା ପୋଲିସ

0 855

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସ୍ପେଶାଲ କ୍ରାଇମ ୟୁନିଟର ଅତିରିକ୍ତ ଡିସିପି ସଂଜୀବ ଶତପଥୀ ଓ ଟିମ୍ ଏବେ ଆକ୍ସନ ମୁଡକୁ ଆସିଛନ୍ତି । ଅପରାଧ ଦମନ ସହ ଚୋରା ନିଶା କାରବାର ଉପରେ ରୋକ ଲଗାଇବାକୁ ଜୋରଦାର ଉଦ୍ୟମ ଚଳାଇଛି । ଏହିକ୍ରମରେ ଗତକାଲି ଅପରାହ୍ଣରେ ଫିଲ୍ଡ ଷ୍ଟାଇଲରେ ଜାତୀୟ ରାଜପଥ ଉପରେ ଗୋଡାଇ ଗୋଡାଇ ୩ ନିଶା ବେପାରୀଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ଠାରୁ ପ୍ରାୟ ୩ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି ।

ପୋଲିସ ସୂଚନା ଅନୁସାରେ, ବେଶ କିଛିଦିନ ହେଲା ଏକ ଗ୍ୟାଙ୍ଗ ଦାମୀ ଗାଡିରେ ‘ପ୍ରେସ୍‌’ ଲେଖି ଅତି ସହଜରେ ବିପୁଳ ପରିମାଣର ଗଞ୍ଜେଇ କାରବାର କରୁଥିବା କମିଶନରେଟ ପୋଲିସର ସ୍ପେଶାଲ ୟୁନିଟ ଖବରପାଇଥିଲା । ଏହି ଗ୍ୟାଙ୍ଗ ଚିତ୍ରକୋଣ୍ଡାରୁ ଭାଇଜାକ ଦେଇ କୋଲକାତା ଓ ଝାରଖଣ୍ଡକୁ ନିଶା କାରବାର କରୁଥିବା ସୂଚନା ମିଳିଥିଲା । ଏହି ଗ୍ୟାଙ୍ଗକୁ ଧରିବା ଲାଗି ସ୍ପେଶାଲ କ୍ରାଇମ ୟୁନିଟ ଜାଲ ବିଛାଇଥିଲା । ଗତକାଲି ଅପରାହ୍ଣରେ ଦୁଇଟି କାରରେ ଗଞ୍ଜେଇ କୋଲକାତାକୁ ଚାଲାଣ ହେଉଥିବା ଖବର ପାଇ ସ୍ପେଶାଲ କ୍ରାଇମ ୟୁନିଟ ଜାତୀୟ ରାଜପଥରେ ଜଗି ରହିଥିଲା ।

ମାଫିଆ ମାନେ ଗାଡିରେ ପ୍ରେସ୍ ଲେଖି ପୋଲିସକୁ ଚକମା ଦେଇ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ପିତାପଲ୍ଲୀ ଛକରୁ ସେମାନଙ୍କୁ ପିଛା କରିଥିଲା । ଜାତୀୟ ରାଜପଥରେ ହଠାତ ଗାଡିକୁ ଅଟକାଇ ଧରିବା ସମ୍ଭବପର ନହେବାରୁ ଉଭୟଙ୍କ ମଧ୍ୟରେ ଗୋଡା ଗୋଡି ଲାଗି ରହିଥିଲା । କେତବେଳେ ଗଞ୍ଜେଇ ମାଫିଆ ଆଗରେ ତ ଆଉ ପୋଲିସ ଆଗରେ । ଏଭଳି ଭାବରେ ପ୍ରାୟ ୩୦ କିଲୋମିଟର ଗୋଡାଇବା ପରେ ମାଫିଆଙ୍କୁ ଧରିବାରେ ପୋଲିସ ଟିମ୍ ସଫଳ ହୋଇଛି । ପୋଲିସ ଦୁଇ ଗାଡିକୁ ଅଟକାଇ ଯାଞ୍ଚ କରିବା ବେଳେ ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା ।

ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ପୋଲିସ ୩ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା । ଜେରା ବେଳେ ସେମାନେ ଚୋରା ଚାଲାଣ କରୁଥିବା ସ୍ୱିକାର କରିଥିଲେ । ପରେ ପୋଲିସ ସେମାନଙ୍କୁ ଗିିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡରର ରାଜେଶ ଦାସ, ରବି ଶଙ୍କର ଦାସ ଓ ଲ କିଶୋର ପ୍ରସାଦ ସହଦେବ । ଏମାନଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy