ଦୁଇ ବ୍ରାଉନସୁଗାର ବେପାରି ଧରାପଡିଲେ

0 965

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ଏକ ଅନ୍ତଃରାଜ୍ୟ ନିଶା ମାଫିଆ ଗ୍ୟାଙ୍ଗକୁ ଠାବ କରିଛି । ଗ୍ୟାଙ୍ଗର ଦୁଇ ସଦସ୍ୟକୁ ପୋଲିସ ହେପାଜତକୁ ନେବା ସହ ସେମାନଙ୍କ ଠାରୁ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କା ହେବ । ପୋଲିସ ଏହି ଗ୍ୟାଙ୍ଗର ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ କରୁଛି ।

ପୋଲିସ ସୂଚନା ଅନୁସାରେ, ବେଶ କିଛିଦିନ ହେଲା ଏକ ଗ୍ୟାଙ୍ଗ କଟକ ଖୁଣ୍ଟୁଣୀ ଅଞ୍ଚଳରେ ରହି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବ୍ରାଉନସୁଗାର ସପ୍ଲାଏ କରୁଥିଲେ । ସ୍ପେଶାଲ କ୍ରାଇମ ୟୁନିଟର ଅତିରିକ୍ତ ଡିସିପି ସଞ୍ଜୀବ ଶତପଥିଙ୍କ ନେତୃତ୍ୱରେ ଏକ ଟିମ ଏହି ଗ୍ୟାଙ୍ଗ ଉପରେ ନଜର ରଖିଥିଲା । ଗତକାଲି ଏହି ଗ୍ୟାଙ୍ଗର ଦୁଇ ସଦସ୍ୟ ଖୁଣ୍ଟୁଣୀର ଶିବପ୍ରସାଦ ଦାସ ଓ ଜଗବନ୍ଧୁ ଦାସ ବିପୁଳ ପରିମାଣର ବ୍ରାଉନସୁଗର ନେଇ ଖୋର୍ଦ୍ଧା ଓ ଭୁବନେଶ୍ୱର ଆସୁଥିବା ଟିମ୍‌କୁ ସୂଚନା ମିଳିଥିଲା । ପରେ ପୋଲିସ ଟିମ ପାହଳ ଅଣ୍ଡରପାସ ନିକଟରେ ସେମାନଙ୍କୁ ଅପେକ୍ଷା କରିଥିଲା । ଏକ ବାଇକ ଯୋଗେ ଆସୁଥିବା ଦୁଇ ନିଶା ବେପାରିକୁ ପୋଲିସ ସେଠାରେ କାବୁ କରିଥିଲା ।

ଯାଞ୍ଚ ବେଳେ ତାଙ୍କ ଠାରୁ ୪୦୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିଲା । ଜେରା ବେଳେ ସେମାନେ ନିଶା କାରବାର କରୁଥିବା ସ୍ୱିକାର କରିଥିଲେ । ପରେ ପୋଲିସ ସେମାନଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି । ଏମାନେ ବାଲେଶ୍ୱର ଓ ଜଳେଶ୍ୱର ନିଶା ମାଫିଆ ଗ୍ୟାଙ୍ଗର ସଦସ୍ୟ ବୋଲି ସନ୍ଦେହ କରାଯାଉଛି । ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ଆବଶ୍ୟକ ହେଲେ ପୋଲିସ ସେମାନଙ୍କୁ ରିମାଣ୍ଡରେ ନେବ ବୋଲି ପୋଲିସ କହିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy