ଖଣ୍ଡଗିରି ଯାତ୍ରା: ନିଜ ସ୍ୱାର୍ଥ ପାଇଁ ଡବଲ ସୋ’କୁ ଅନୁମତି ଦେଲା ପୋଲିସ?

0 605

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଖଣ୍ଡଗିରି ଯାତ୍ରା ମହାସମରକୁ ପ୍ରଶାସନ ଅନୁମତି ଦେଇଥିବା ବେଳେ ଚଳିତବର୍ଷ ଡବଲ ସୋ’କୁ ବାରଣ କରାଯାଇଥିଲା । କୁମ୍ଭମେଳା ପୂର୍ବରୁ ବିଭିନ୍ନ ଯାତ୍ରା କମିଟି ଓ ଯାତ୍ରା ପରିଚାଳନା କମିଟି ସହ ଭୁବନେଶ୍ୱର ପ୍ରଶାସନ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ପରିଚାଳନା ଓ ଅନ୍ୟାନ୍ୟ ଦିଗକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଶନିବାର ହଠାତ ତୁଇଟି ଗଣନାଟ୍ୟ ପକ୍ଷରୁ ଡବଲ ସୋ’ର ଘୋଷଣା କରାଯାଇ ଟିକେଟ ବିକ୍ରି କରାଯାଇଥିଲା । ତେବେ ଏହି ଦୁଇଟି କମିଟିକୁ ଅନୁମତି ଦେଲା କିଏ? କାହା ସ୍ୱାର୍ଥରେ ଡବଲ ସୋ’ ଯାତ୍ରା ପରିବେଷଣ ହେଲା? ଖଣ୍ଡଗିରି ପୋଲିସ ନିଜ ସ୍ୱାର୍ଥ ପାଇଁ ଏଭଳି ଅନୁମତି ଦେଇଛି କି?

ମାଘ ସପ୍ତମୀ କୁମ୍ଭମେଳା ଅବସରରେ ଖଣ୍ଡଗିରିରେ ପ୍ରତ୍ୟେକ ଦିନ ୬ଟି ଅପେରା ବିଭିନ୍ନ ପେଣ୍ଡାଲରେ ଯାତ୍ରା ପ୍ରଦର୍ଶନ କରୁଛନ୍ତି । ଏହି ଯାତ୍ରା ଦେଖିବା ପାଇଁ ପ୍ରାୟ ୩୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥାଏ । ଜାତୀୟ ରାଜପଥ କଡରେ ଯାତ୍ରା ପରିବେଷଣ ହେଉଥିବାରୁ ସବୁଦିଗକୁ ଦୃଷ୍ଟିରେ ରଖି ପ୍ରଶାସନ ଡବଲ ସୋ’କୁ ଅନୁମତି ଦେଇନଥାଏ । ଏହିକ୍ରମରେ ଚଳିତ ଥର ମଧ୍ୟ ଡବଲ ସୋ’କୁ ଅନୁମତି ମିଳିନାହିଁ । ମାତ୍ର ହଠାତ ଦୁଇଟି ଯାତ୍ରା କମିଟିକୁ ଡବଲ ସୋ’ କରିବାକୁ ପୋଲିସ ଅନୁମତି ଦେଇଥିଲା । ଯାହାକୁ ଅନ୍ୟ କମିଟି ସଦସ୍ୟମାନେ ବିରୋଧ କରିବା ସହ ରାସ୍ତା ଅବରୋଧ କରିଥିଲେ । ଫଳରେ ଖଣ୍ଡଗିରି ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଗାଡିଚଳାଚଳ ଠପ ହୋଇପଡିଥିଲା ।

ଏପରିକି ସାଧାରଣ ଲୋକେ ମଧ୍ୟ ପାଦରେ ଚାଲି ଚାଲି ଯିବା ଅସମ୍ଭବ ହୋଇଯାଇଥିଲା । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ପରିସ୍ଥିତି ଏଭଳି ହୋଇଥିଲା ଯେ ପୋଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା । ଏହା ପରେ ମଧ୍ୟ ପୋଲିସ ଟ୍ରାଫିକ ସମସ୍ୟାର ସମାଧାନ କରିପାରିନଥିଲା । ଶେଷରେ ଭଗବାନଙ୍କ ଭରସାରେ ସବୁ କିଛି ଛାଡି ଦେଇଥିଲା । ବେଶ କିଛି ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଜାମ ରହିଥିଲା । ପରେ ଧିରେ ଧିରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

ତେବେ କମିଟି ସଦସ୍ୟଙ୍କ କହିବାନୁସାରେ, ଡବଲ ସୋ’କୁ ଡିସିପି ଅନୁମତି ଦେବାକୁ ମନା କରିଛନ୍ତି । ତେଣୁ କୌଣସି କମିଟି ଡବଲ ସୋ’ର ବ୍ୟବସ୍ଥା କରିନାହାନ୍ତି । ତେବେ ଆଜି ହଠାତ ଦୁଇଟି କମିଟି କିପରି ସୋ’ କଲେ? ଏଠାରେ ରାସ୍ତ ପ୍ରଶ୍ନ ଉଠୁଛି, ପ୍ରଶାସନ ଓ ଡିସିପି ଯଦି ଡବଲ ସୋ’ ପାଇଁ ଅନୁମତି ଦେଲେ ନାହିଁ, ତେବେ ଥାନା ଅନୁମତି ଦେଲା କେମିତି? ଏହା ପଛରେ ଖଣ୍ଡଗିରି ଥାନାର କିଛି ନିଜସ୍ୱ ସ୍ୱାର୍ଥ ଅଛି କି? ନା ଚାପ ଆଗରେ ଖଣ୍ଡଗିରି ପୋଲିସ ମୁଣ୍ଡ ନୁଆଁଇଲା?

ଏନେଇ ଡିସିପି ଗଣମାଧ୍ୟମକୁ କହିଛନ୍ତି ଯେ, ରବିବାର ଠାରୁ ଆଉ ଡବଲ ସୋ’ କରାଯିବ ନାହିଁ । ହେଲେ ଦେଖିବାର କଥା ଡିସିପିଙ୍କ କଥା ରହୁଛି ନା ପୁଣି ଶନିବାର ପରି ସବୁଦିନ ଡବଲ ସୋ’ ଚାଲିବ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy