ଭୁବନେଶ୍ୱର ୩ ଆସନରୁ ରିପିଟ୍ ହେବେ ଅଶୋକ, ବୁନୁ ଓ ବାପୁ

0 895

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱରର ସମସ୍ତ ୩ଟି ଯାକ ବିଧାନସଭା ଆସନରୁ ବିଜେଡି ପୁରୁଣାଙ୍କୁ ରିପିଟ୍ କରିବ । ଏକାମ୍ରରୁ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟରୁ ଅନନ୍ତ ନାରାୟଣ ଜେନା (ବୁନୁ) ଓ ଉତ୍ତରରୁ ସୁଶାନ୍ତ ରାଉତ (ବାପୁ)ଙ୍କ ଉପରେ ଦଳ ପୁଣି ଥରେ ଭରସା କରିଛି । ତେବେ ଶ୍ରୀମୟୀ ମିଶ୍ରଙ୍କୁ ନେଇ ଦଳର ଗୋଟିଏ ଗୋଷ୍ଠୀ ଚର୍ଚ୍ଚା କରୁଥିଲେ ମଧ୍ୟ ପୁରୁଣା ରିପିଟ୍ ହେବା ଏକ ପ୍ରକାର ନିଶ୍ଚିତ ।

ନିର୍ବାଚନ ବିଗୁଲ ବାଜିବାର କିଛିଦିନ ପୂର୍ବରୁ ଏହି ୩ ଆସନରୁ ବିକଳ୍ପ ଆଶାୟୀ ପ୍ରାର୍ଥୀମାନେ ନିଜନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ଏକାମ୍ରରୁ ଅଶୋକଙ୍କ ବିରୋଧରେ ଲିଟୁ ମହାସୁପକାର ନିଜର ଦମ ଦେଖାଇଥିଲେ । ଘନଘନ ବନ୍ଧୁ ମିଳନ ଆଳରେ ଶକ୍ତି ପ୍ରଦର୍ଶନ ଓ ଶୋଭାଯାତ୍ରା କରିଥିଲେ । ଏପରିକି ଏକାମ୍ରରୁ ପ୍ରାର୍ଥୀ ହେବାକୁ ନବୀନ ନିବାସ ଯାଇ ଦରଖାସ୍ତ ମାଧ୍ୟମରେ ଆବେଦନ କରିଥିଲେ । ପରେ ତାଙ୍କୁ ଦଳ ମ୍ୟାନେଜ କରିଦେଇଥିବା ଜଣାପଡିଛି ।

ସେହିପରି ମଧ୍ୟରୁ ଦାବିଦାର ଥିବା ଅମରେଶ ଜେନା ଓରଫ ବାଇଁଆ ମଧ୍ୟ ବୁନୁଙ୍କୁ ଖୋଲାଖୋଲି ବିରୋଧ କରିବା ସହ ଶକ୍ତି ପ୍ରଦର୍ଶନ କରିଥିଲେ । ଏକ ବିଶାଳ ସମାବେଶ ମାଧ୍ୟମରେ ନିଜର ଦମ ଦେଖାଇବା ସହ ଦଳର ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହିତ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚାର ପ୍ରସାର କରିଥିଲେ । ସେ ମଧ୍ୟ ନବୀନ ନିବାସ ଯାଇ ଟିକେଟ ପାଇଁ ଦାବି କରିଥିଲେ । ବାଇଁଆଙ୍କ ଶକ୍ତି ପ୍ରଦର୍ଶନ ଯୋଗୁଁ ଦଳ ଭିତରେ ଛନକା ପଶିଯାଇଥିଲା । କେବଳ ବାଇଁଆ ନୁହଁନ୍ତି ମଧ୍ୟରୁ ରୁଦ୍ର ନାରାୟଣ ସାମନ୍ତରାୟ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ସମ୍ପର୍କ ଯାତ୍ରା ମାଧ୍ୟମରେ ଏକାଧିକ କାର୍ଯ୍ୟକ୍ରମ କରି ବୁନୁଙ୍କ ନିଦ ହଜାଇ ଦେଇଥିଲେ ।

ହେଲେ ବୁନୁଙ୍କ ମୁଣ୍ଡ ଉପରେ ମ୍ୟାଡାମଙ୍କ ହାତ ଥିବାରୁ ତାଙ୍କୁ କିଛି ଫରକ ପଡିନାହିଁ । ମ୍ୟାଡାମଙ୍କ ଆର୍ଶିବାଦରୁ ବୁନୁ ମହାଦ୍ରୁମ ଭଳି ହଲିନଥିଲେ କିମ୍ବା ତାଙ୍କୁ କେହି ହଲାଇପାରିନଥିଲେ । ଶେଷରେ ଦଳ ବାଇଁଆ ଓ ରୁଦ୍ରଙ୍କୁ ଡାକି ବୁଝାସୁଝା କରିଥିବା କୁହାଯାଉଛି । ତେବେ ସେ ମ୍ୟାଡାମ କିଏ? ତାଙ୍କ ପ୍ରଭାବ ଆଗରେ ଦଳର ତୁଙ୍ଗ ନେତା ହାର ମାନୁଛନ୍ତି? ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସେହିପରି ଉତ୍ତରରୁ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଦୁଇମାସ ପୂର୍ବରୁ ନିଜ ସପକ୍ଷରେ ପ୍ରଚାର ଆରମ୍ଭ କରିଥିଲେ । ଘର ଘର ବୁଲି ପ୍ରଚାର କରିବା ସହ ଏଥର ସେ ଟିକେଟ ଦାବିଦାର ଥିବା ଦଳକୁ ଜଣାଇଦେଇଥିଲେ । ତେବେ ତାଙ୍କୁ ଦଳ ପକ୍ଷରୁ ନାସ୍ତିବାଣୀ ଶୁଣିବାକୁ ମିଳିଥିଲା । ଏପରିକି ପ୍ରଚାର କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ କୁହାଯାଇଥିଲା । ପରେ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ସେ ବିଜେପିରେ ମିଶିବା ପରେ ବାପୁଙ୍କ ରାସ୍ତା କ୍ଲିୟର ହୋଇଯାଇଛି । ତେବେ ବିରୋଧୀଙ୍କୁ ଦଳ ମ୍ୟାନେଜ କରିବା ପରେ ପୁଣି ପୁରୁଣା ରିପିଟ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy