ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସାଧୁ ମେହେରଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ

0 1,390

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପଦ୍ମଶ୍ରୀ ସମ୍ମାନିତ ଅଭିନେତା, ନିର୍ଦ୍ଦେଶକ, ଲେଖକ ଓ ପ୍ରଯୋଜକ ସାଧୁ ମେହେରଙ୍କ ପରଲୋକ ହୋଇଛି। ୮୪ ବର୍ଷ ବୟସରେ ମୁମ୍ବାଇରେ ସାଧୁ ମେହେରଙ୍କ ପରଲୋକ ନେଇ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୧୯୬୯ ମସିହାରେ ସେ ‘ଭୂବନ ସୋମ୍‌’ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ। ଏଥିରେ ସେ ଏକ ମୂକ ପକ୍ଷୀଧରାଳି ଚରିତ୍ରରେ ଅଭିନୟ କରିଥିଲେ। ଏହା ପରେ ସେ ଆଉ ପଛକୁ ଚାହିଁ ନଥିଲେ। ୧୯୭୪ର ଚଳଚ୍ଚିତ୍ର ଅଙ୍କୁର ତାଙ୍କୁ ଜାତୀୟ ସ୍ଥରରେ ଜଣେ ଭଲ ଅଭିନେତାର ସ୍ୱୀକୃତି ଦେଇଥିଲା।

ସାଧୁ ମେହେର୨୮ରୁ ଅଧିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଇଛା ପୂରଣ, ୨୭ ଡାଉନ୍, ମନ୍ଥନ, ଦେବଶିଶୁ, ନିଶାନ୍ତ, ସଫେଦ ହାତୀ, ମୃଗୟା, ଚରାଚର, ଉତ୍ତରଣ ଆଦି ହିନ୍ଦୀ ଚଳଚ୍ଚିତ୍ର ସେଥି ମଧ୍ୟରୁ ଅନ୍ୟତମ। ୧୯୭୭ ମସିହାରେ ସେ ନିଜ ପ୍ରଥମ ଓଡ଼ିଆ କଥାଚିତ୍ର ‘ଅଭିମାନ’ଣ ନିର୍ଦ୍ଦେଶନା କରିଥିଲେ, ଅଭିମାନ ଥିଲା ଅଭିନେତା ଉତ୍ତମ ମହାନ୍ତିଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ତାପରେ, ସେ ଅଭିଳାଷ, ଅପରିଚିତା, ଗୋପରେ ବଢୁଛି କଳାକହ୍ନେଇ ଆଦି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ଶୀତରାତି, ଭୁଖା ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସେ ନିଖୁଣ ଅଭିନୟ କରିଛନ୍ତି। ‘ହମ୍‌ ଆପ୍‌କେ ଦିଲ୍‌ ମେ ରହତେ ହେଁ’ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନ ଛୁଇଁଥିଲା।

ସାଧୁ ମେହେର ଉଭୟ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ରରେ ଦକ୍ଷ ଅଭିନୟ କରିଥିଲେ। ୧୯୪୦ ଜାନୁଆରି ୧ ତାରିଖରେ ସେ ବୌଦ୍ଧ ଜିଲ୍ଲା ଗୁଡଭେଲିପଦର ଗ୍ରାମରେ ଏକ ବୁଣାକାର ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କ ପିତା ଜଣେ ବୁଣାକାର ଥିଲେ। ସୋନପୁର ସହରରେ ସେ ନିଜର ବିଦ୍ୟାଳୟ ଶିକ୍ଷା ଆରମ୍ଭ କରିଥିଲେ। ପିଲାଦିନରୁ ସେ ଅଭିନୟ ପ୍ରତି ଆକର୍ଷିତ ଥିଲେ। ତେଣୁ ଅଭିନୟରେ ସେ ଏପରି ମଗ୍ନ ଥିଲେ ଯେ, ମଞ୍ଚରେ ଅଭିନୟ କରୁଥିବା ସମୟରେ ତାଙ୍କୁ ପିତାଙ୍କ ମୃତ୍ୟୁଖବର ମିଳିଥିଲା। କିନ୍ତୁ ସେ ମଞ୍ଚଛାଡ଼ି ନଯାଇ ଅଭିନୟ ସମାପ୍ତ କରିଥିଲେ।

ସ୍ନାତକ ଶିକ୍ଷାପରେ, ସେ ଅଭିନୟରେ ଡିପ୍ଲୋମା କରିବା ପାଇଁ କୋଲକାତାର ରବୀନ୍ଦ୍ର ଭାରତୀ ଯାଇଥିଲେ। ସେଠାରେ, ମଞ୍ଚ ଓ ସିନେମା ପ୍ରଭାବରେ ତାଙ୍କ ଜୀବନର ଗତିପଥ ପରିବର୍ତ୍ତନ ହୋଇଥିଲା। ଏହା ପରେ ମହରାଷ୍ଟ୍ରର ପୁଣେସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଆଇଏଫ୍‌ଟି) ଯାଇ ଅଭିନୟରେ ଡିପ୍ଲୋମା ହାସଲ କରିଥିଲେ । ତାପରେ ସେ ଥିଏଟରରେ ଯୋଗଦେଲେ ଓ ସତ୍ୟଦେବ ଦୁବେଙ୍କ ନିର୍ଦ୍ଦେଶନାରେ ଅନେକ ନାଟକରେ ଅଭିନୟ କରିଥିଲେ। ୨୦୧୭ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଏହା ପୂର୍ବରୁ ସେ ସର୍ବଶ୍ରେଷ୍ଠ ଅଭିନୟ ନିମନ୍ତେ ଜାତୀୟ ପୁରସ୍କାର (୧୯୭୪) ଓ ଜୟଦେବ ସମ୍ମାନ ମଧ୍ୟ ହାସଲ କରିଥିଲେ।

ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଦ୍ମଶ୍ରୀ ସାଧୁ ମେହେର ତାଙ୍କର ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଓଡିଶା ସମେତ ଜାତୀୟ ସ୍ତରରେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ୱ ଥିଲେ । ଉଭୟ ହିନ୍ଦି ଓ ଓଡିଆ ଚଳଚ୍ଚିତ୍ରରେ ସେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି। ସେ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଥମ ଓଡିଆ ଅଭିନେତା। କଳା କ୍ଷେତ୍ରରେ ପାରଦର୍ଶିତା ପାଇଁ ଅନେକ ସମ୍ମାନ ଓ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି। ତାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy