ଶନିବାରଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

0 301

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଶନିବାରଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ମୋଟ 27ଟି ସେସନ୍ ରହିଛି । ଏହାର ଉଦ୍ଦଘାଟନୀ ଦିବସରେ ଜଗନ୍ନାଥ ସଂସ୍କୃତି ଉପରେ ସ୍ବତନ୍ତ୍ର ଅଧିବେଶନ ରହିଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନ୍ ସୂଚନା ଦେଇଛନ୍ତି ।

ଖବରଥାଉ କି, ଏହି ସମ୍ମିଳନୀ ନେଇ ସମସ୍ତ ପ୍ରସ୍ତୁତି ସରିଛି । ଏଥିରେ ଓଡିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତକୁ ପ୍ରଦର୍ଶିତ କରାଯିବ । ଏହି ପ୍ରଦର୍ଶନୀ ତିନୋଟି ବିସ୍ତୃତ ବିଷୟ ଏବଂ ସମୟସୀମା ଉପରେ ଆୟୋଜିତ ହୋଇଛି ଯଥା- ପ୍ରାଚୀନ, ମଧ୍ୟ ଓ ଆଧୁନିକ । ଓଡିଆ ଭାଷା ଏବଂ ଲିପିର ଉତ୍ପତି ଓ ବିବର୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର, ପୋଥି,କଳିଙ୍ଗଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତି ଗୁଡିକ ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହେବ । ମଧ୍ୟ ଯୁଗୀୟ ଓଡିଆ ସାହିତ୍ୟର ନବଜାଗରଣ ପ୍ରଦର୍ଶିତ ହେବ । ଓଡିଶାର କଳା ଏବଂ ଭାସ୍କର୍ଯ୍ୟ, ନୃତ୍ୟ ଏବଂ ସଂଗୀତ ପରମ୍ପରାଗୁଡିକ ପ୍ରଦର୍ଶିତ ହେବ ।

ଛାପାଖାନାର ଆଗମନ ଏବଂ ଓଡିଆ ଭାଷାର ପ୍ରସାରରେ ଏହାର ପ୍ରଭାବ ଉପଯୁକ୍ତ କଳାକୃତି ଫଟୋ ସହିତ ପ୍ରଦର୍ଶିତ ହେବ । ସମସାମୟିକ ସମ୍ବାଦପତ୍ର, ପତ୍ରପତ୍ରିକା ଏବଂ ଆଧୁନିକ ଚିନ୍ତାନାୟକମାନଙ୍କର ଭାବଧାରା ପ୍ରଦର୍ଶିତ ହେବ । 4 ଫେବୃୟାରୀରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଏକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ । ଏହି ଅବସରରେ ଓଡ଼ିଆ ଭାଷା ଓ ଭାଷା ବିଜ୍ଞାନରେ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ । ଏଥିସହ ଜ୍ଞାନପୀଠ ପୁରସ୍କାର ବିଜେତା ଓ ପଦ୍ମପୁରସ୍କାର ବିଜେତା, ସାହିତ୍ୟ ଏକାଦେମି ପୁରସ୍କାରପ୍ରାପ୍ତ ବ୍ୟକ୍ତି, କବୀର ସମ୍ମାନ ପୁରସ୍କାର ପ୍ରାପ୍ତ, ରାଜ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ବିଜେତାମାନଙ୍କୁ ସମ୍ମାନିତ କରାଯିବ ।

ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନ୍ କହିଛନ୍ତି,  ‘ଏହି ସମ୍ମିଳନୀରେ ଦେଶ ବିଦେଶରୁ 100ରୁ ଅଧିକ ଭାଷାବିତ୍ ଯୋଗ ଦେଇ ସେମାମଙ୍କର ମତ ରଖିବେ । ସମସ୍ତ ମତକୁ ଆଧାର କରି ଆଗାମୀ ଦିନରେ ସରକାର ଓଡିଆ ଭାଷାକୁ ନେଇ ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରିବେ । ଏହାସହ ଓଡିଆ ଭାଷା ଉପରେ ଏକ ମ୍ୟୁଜିୟମ୍ ତିଆରି କରାଯିବ । ରାଜ୍ୟ ସାରା ଲୋକେ ଏହାର ସିଧାପ୍ରସାରଣ ଦେଖିପାରିବେ । ପଞ୍ଚାୟତ ଓ ପୌରାଞ୍ଚଳରେ ଏନେଇ ବ୍ୟବସ୍ଥା ହୋଇଛି । ସ୍ବଂୟ ସହାୟକ ମହିଳା ଏଥିରେ ସାମିଲ ହେବେ’ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy