ଆରମ୍ଭ ହେଲା ନୂଆ-ଓ ସ୍କଲାରସିପ

0 239

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଛାତ୍ରଛାତ୍ରୀଙ୍କ ବ୍ଯାଙ୍କ ଖାତାକୁ ଆସିଲା ସ୍କଲାରସିପ ଟଙ୍କା । ଆଜିଠାରୁ ଯୁକ୍ତତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି ନୂଆ-ଓ ସ୍କଲାରସିପ । ଏହି ସ୍କିମରେ ରାଜ୍ଯର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ଏହି ଯୋଜନା ।

ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଇଛି । ମାର୍ଚ୍ଚ ୫ ତାରିଖରେ ସମସ୍ତ ୩୦ ଜିଲ୍ଲାର ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇବେ । ସେପଟେ ଖୁବଶୀଘ୍ର ସରକାର ଆଣିବାକୁ ଯାଉଛନ୍ତି ୟୁଥ୍ ବଜେଟ୍ । ରାଜ୍ୟ ବଜେଟର ଏକ ବଡ଼ ଭାଗ ଯୁବ ବଜେଟ ପାଇଁ ବିନିଯୋଗ ହେବ । ଯୁବକଙ୍କ ସବୁ ସ୍ଵପ୍ନକୁ ସାକାର କରିବେ ରାଜ୍ୟ ସରକାର ।

ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଯୋଜନାରେ ସ୍କଲାରସିପ ବାଣ୍ଟିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ ଯେପରି କୌଣସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଂଚିତ ନହୁଅନ୍ତି ସେଥିଲାଗି ଏହି ଯୋଜନା କରାଯାଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ଛାତ୍ରଛାତ୍ରୀଙ୍କ ଲାଗି ଆଉ ପାଠ ପଢାରେ ରହିବନି ଅର୍ଥର ଅଭାବ । ବାପାମାଆଙ୍କ ଉପରେ ଯାହା ବୋଝ ପଡୁଥିଲା ସେଇଟାକୁ କିଛିମାତ୍ରାରେ କମ କରିବା ଲାଗି ମୁଖ୍ୟମନ୍ତ୍ରୀ ଏହି ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି । ଏହି ଯୋଜନା ନୂଆ ଓଡ଼ିଶା ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେବ । ଆଜିର ଦିନ ଛାତ୍ରଛାତ୍ରୀଙ୍କ ଲାଗି ଐତିହାସିକ ଦିନ ବୋଲି କହିଛନ୍ତି 5T ଅଧ୍ୟକ୍ଷ।

ଯୁବବର୍ଗଙ୍କୁ ସଶକ୍ତ କରିବାକୁ ସରକାର ଆଣିବେ ୟୁଥ ବଜେଟ । ଦେଶରେ ପ୍ରଥମ ରାଜ୍ୟଭାବେ ଓଡ଼ିଶା ଏହି ୟୁଥ୍ ବଜେଟ୍ ଆଣିବ । ଯୁବବର୍ଗଙ୍କ ବିକାଶ ଦିଗରେ ଏହି ବଜେଟରୁ ଅର୍ଥ ଖର୍ଚ୍ଚ ହେବ । ୨୦୩୬ ସୁଦ୍ଧା ନୂଆ ଓ ସଶକ୍ତ ଓଡ଼ିଶା ଗଠନ ଲକ୍ଷ୍ଯ ରଖିଛନ୍ତି ସରକାର । ଏଥିଲାଗି ରାଜ୍ୟ ପ୍ରଶାସନକୁ ୨୦୩୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଟାର୍ଗେଟ ଦେଇଛନ୍ତି । ୧୦ ବର୍ଷରେ ଓଡ଼ିଶାକୁ ସବୁ ଦିଗରୁ ସଶକ୍ତ କରିବାକୁ ଲକ୍ଷ୍ଯ ରହିଛି । ଲକ୍ଷ୍ୟ ହାସଲରେ ଯୁବକଙ୍କ ଭୂମିକା ହେବ ଗୁରୁତ୍ବପୂର୍ଣ୍ଣ । ରାଜ୍ଯ ବଜେଟର ଏକ ବଡ଼ ଭାଗ ଯୁବ ବଜେଟ ପାଇଁ ବିନିଯୋଗ ହେବ । ଯୁବକଙ୍କ ସବୁ ସ୍ବପ୍ନକୁ ସାକାର କରିବେ ରାଜ୍ୟ ସରକାର । ଯୁବ ଶକ୍ତିକୁ ସାମର୍ଥ୍ୟ ଯୋଗାଇବାକୁ ଏବେଠୁ କାମ ଆରମ୍ଭ ହୋଇଛି । ରାଜ୍ୟର ୬ ହଜାର ୮୫୦ ହାଇସ୍କୁଲର ହୋଇଛି ରୂପାନ୍ତରୀକରଣ । ଯୁବକ ଯାହା ସ୍ଵପ୍ନ ଦେଖିବ, ତାକୁ ସାକାର କରିପାରିବ । ଏହା ରାଜ୍ଯ ପାଇଁ ସୁବର୍ଣ୍ଣ ଯୁଗ ହେବ ବୋଲି କହିଛନ୍ତି 5T ଅଧ୍ୟକ୍ଷ ।

ଆଗକୁ ଯୁକ୍ତତିନି ଓ ପିଜିର ସମସ୍ତ ଛାତ୍ରଛାତ୍ରୀଙ୍କୁ ନବୀନ ମ୍ଯାଜିକ କାର୍ଡ ପ୍ରଦାନ କରାଯିବ । ମାର୍ଚ୍ଚ ୫ରେ ଏ ନେଇ ପଞ୍ଜୀକରଣ ଆରମ୍ଭ ହେବ । ଏହା ଛାତ୍ରଛାତ୍ରୀଙ୍କୁ ୱାଇଫାଇ, ବହି କିଣା ଓ ଯାତ୍ରାରେ ରିହାତି ସହ କ୍ଯାରିୟର କାଉନସେଲିଂ ଓ ନିଯୁକ୍ତିରେ ସହାୟକ ହେବ । ଏଥିରେ କାର୍ଡକୁ ସିଲଭର, ଗୋଲ୍ଡ, ପ୍ଲାଟିନମ କାର୍ଡକୁ ଉନ୍ନୀତ କରିବାକୁ ମଧ୍ୟ ସୁଯୋଗ ରହିଛି । ନୂଆ-ଓ ମାଧ୍ୟମରେ ଆୟୋଜିତ କୋ-କରିକୁଲାର ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ କରିବା ସହ ସ୍ଵପ୍ନକୁ ସାକାର କରିବାକୁ ବଳ ଯୋଗାଇବ ।

ସ୍କଲାରସିପ୍ ମିଳିବା ପରେ ଭାବ ବିହ୍ଵଳ ହୋଇ ପଡିଥିଲେ ଅନେକ ଛରତ୍ରଛାତ୍ରୀ । ଅଭାବ ଅସୁବିଧାରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହା ବରଦାନ ସଦୃଶ ହୋଇଛି । ପାଠ୍ୟ ପୁସ୍ତକ ସହ ଅନ୍ୟ ପାଠ୍ୟ ଉପକରଣ କିଣିବାରେ ସହାୟକ ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ପାଠପଢାରେ ସରକାର ଛାତ୍ରବୃତ୍ତି ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy