ସାମ୍ବାଦିକଙ୍କୁ ହଣା ପଛରେ ମଦ ବାର, ପୋଲିସ ଜାଣି ଅଜଣା!

0 1,594

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଓ ଉପକଣ୍ଠରେ ବଢୁଥିବା ଅପରାଧ ପଛରେ ଚୋରା ନିଶା କାରବାର ହିଁ ମୁଖ୍ୟ କାରଣ ବୋଲି ପୂର୍ବତନ ପୋଲିସ କମିଶନର ଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କହୁଛନ୍ତି । ଏଥିପାଇଁ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ କରାଯାଇ ବେପାରୀଙ୍କୁ ଗିରଫ କରାଯାଉଛି । ହେଲେ ମଞ୍ଚେଶ୍ୱର ଥାନା ଠାରୁ ମାତ୍ର ୨/୩ ମିଟର ଦୂରରେ ଥିବା ବାରରୁ ରାତିତମାମ ଚୋରା ମଦ କାରବାର ହେଉଛି, ଯେଉଁଥି ପାଇଁ ଆଜି ଜଣେ ସାମ୍ବାଦିକଙ୍କୁ ଖଣ୍ଡାରେ ହାଣି ଦୁର୍ବୃତ୍ତମାନେ ଲହୁଲୁହାଣ କଲେ ବୋଲି ଅଭିଯୋଗ ହେଉଛି । ଏକଥା ପୋଲିସ ଜାଣି ଅଜଣା ରହିବା ଚିନ୍ତାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ମଞ୍ଚେଶ୍ୱର ଥାନା ଅଞ୍ଚଳ ତଥା ରସୁଲଗଡ ଛକରେ ଅହୋରାତ୍ର ବେଆଇନ୍ ମଦ କାରବାର ଯୋଗୁଁ ଏଠାରେ ନିୟମିତ ଛୋଟମୋଟ ଅପରାଧ ଘଟୁଥିଲା । ଚୋରି, ଛିନତାଇ ଓ ଗଣ୍ଡଗୋଳ ଯୋଗୁଁ ଉକ୍ତ ଅଞ୍ଚଳରେ ଅଶାନ୍ତ ପରିବେଶ ସୃଷ୍ଟି ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ପୋଲିସ ସେଠାରେ ଚଢାଉ କରିଥିଲା । ଚଢାଉ ବେଳେ ଥାନା ସମ୍ମୁଖରେ ବେଆଇନ ଭାବେ ଦିବାରାତ୍ର ଖୋଲୁଥିବା ପାନ-ଚା ଦୋକାନ ଓ ଚୋରା ମଦ କାରବାର ବନ୍ଦ ହୋଇଯାଇଥିଲା । ଏପରିକି ପୋଲିସ ଏହି ଚଢାଉ ସମୟରେ କେତେକ ନିଶା ବେପାରୀକୁ ଗିରଫ କରିବା ସହ ବାରରୁ ଚୋରା ମଦ କାରବାର କରୁଥିବା ସିକ୍ୟୁରିଟି ଗାର୍ଡକୁ ତାଗିଦ କରିଥିଲା ।

ଫଳରେ କିଛି ଦିନ ପର୍ଯ୍ୟନ୍ତ ବେଆଇନ୍ ମଦ କାରବାର ବନ୍ଦ ହେଲା । ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହେବାରୁ ରସୁଲଗଡ ଛକରେ ଅନେକ ମାତ୍ରାରେ ଅପରାଧ କମିଗଲା । ପରିସ୍ଥିତି ଶାନ୍ତ ପଡିଗଲା । ହେଲେ କିଛିଦିନ ପରେ ବାରର ସିକ୍ୟୁରିଟି ଗାର୍ଡକୁ ସତେ ଯେମିତି ପୁଣିି ଲାଇସେନ୍ସ ମିଳିଯାଇଛି । ସେ ରାତି ତମାମ ସଟର ଟେକି ମଦ କାରବାର କରୁଛି । ବାରରୁ ଚୋରା ମଦ କାରବାର ହେଉଥିବା ଏମିତି ପ୍ରଚାରିତ ହୋଇଛି ଯେ, ରାଜ୍ୟ ବାହାରର ଟ୍ରକ୍ ଡ୍ରାଇଭର ଓଡ଼ିଆ ଭାଷା ବୁଝି ପାରୁ ନ ଥିଲେ ମଧ୍ୟ ଖୋଜି ଖୋଜି ସେଠାରେ ପହଞ୍ଚିି ଯାଉଛନ୍ତି । ହେଲେ ମାତ୍ର ୨ଶହ ମିଟର ଦୂରରେ ଥିବା ଥାନା ଜାଣିପାରୁନି । ଫଳରେ ଅପରାଧ ବଢିବାରେ ଲାଗିଛି ।

ଗତକାଲି ସାମ୍ବାଦିକଙ୍କୁ ଆକ୍ରମଣର ସୁତ୍ରପାତ ମଧ୍ୟ ଏହି ବାର ଯୋଗୁଁ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, କୌଣସି କାରଣକୁ ନେଇ ବାରରୁ ଯୁକ୍ତତର୍କ ହୋଇଥିଲା, ଯାହା ଆକ୍ରମଣ ପର୍ଯ୍ୟନ୍ତ ଯାଇଥିଲା । ଏହାର ତଦନ୍ତ କରାଯାଉଛି ଓ ଅପରାଧୀମାନେ ଶୀଘ୍ର ଗିରଫ ହେବେ । ଅଭିଯୁକ୍ତ ଗିରଫ ହେବା ପରେ ଘଟଣାର ପ୍ରକୃତ ରହସ୍ୟ କ’ଣ ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ବାର ବନ୍ଦ ପରେ ସିକ୍ୟୁରିଟି ଗାର୍ଡ କାହା ସାହାସରେ ଚୋରା ମଦ କାରବାର କରୁଛି । ଥାନା ପାଖରେ ଚୋରା ମଦ କାରବାର ହେଉଥିଲେ ମଧ୍ୟ ପୋଲିସ କିପରି ଜାଣିପାରୁନି? ଖାଲି ଏହି ବାର ନୁହେଁ ଥାନା ସମ୍ମୁଖ ଚା-ପାନ ଦୋକାନ ରାତି ତମାମ ଖୋଲା ରହୁଛି କାହିଁକି? ସବୁ ଆଡେ ରାତି ୧୦ଟା ପରେ ଦୋକାନ ବନ୍ଦ ହେଉଥିବା ବେଳେ ଏଠାରେ ବ୍ୟତିକ୍ରମ କାହିଁକି? ବାରରୁ ଚୋରା କାରାବାର ଓ ରାତି ତମାମ ଚା ଦୋକାନ ଖୋଲିବା ପଛରେ ପୋଲିସର ସ୍ୱାର୍ଥ ନାହିଁତ? ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy