କମିଶନରେଟ ପୋଲିସର ‘ସେଭ୍‌ସିଟି ଡ୍ରାଇଭ’ ଫେଲ୍‌ !

0 1,337

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସହରକୁ ଅପରାଧ ମୁକ୍ତ ଓ ଲୋକଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇବା ଲାଗି କମିଶନରେଟ ପୋଲିସ ‘ସେଭ୍‌ସିଟି ଡ୍ରାଇଭ’ ଅଭିଯାନ ଚଳାଇଛି । ଏହି ଅଭିଯାନରେ ପୋଲିସ କେତେ ସଫଳତା ପାଇଲା, ତା’ର ମାଳ ମାଳ ତାଲିକା ପ୍ରେସ ରିଲିଜ ମାଧ୍ୟମରେ ପ୍ରକାଶ କରୁଛି । ମାତ୍ର ବାସ୍ତବରେ ପୋଲିସର ଏହି ଅଭିଯାନ ଯେ ଫେଲ୍‌ମାରିଛି, ତାହା ବୋଧହୁଏ କମିଶନରେଟ ପୋଲିସର ମଙ୍ଗୁଆଳମାନଙ୍କୁ ଜଣାପଡୁନାହିଁ । ଏକଥା ଆମେ କହୁନାହୁଁ ବରଂ କିଛିଦିନର ତଥ୍ୟକୁ ଲକ୍ଷ୍ୟ କଲେ କମିଶନରେଟ ପୋଲିସର ‘ସେଭ୍ ସିଟି ଡ୍ରାଇଭ’ ସମ୍ପୂର୍ଣ୍ଣ ଫେଲ୍ ମାରିଛି, ତାହା ସ୍ପଷ୍ଟ ଭାବେ ଜଣାପଡୁଛି ।

ଏବେ ପାର୍ବଣ ଋତୁ ଚାଲିଥିବାରୁ କମିଶନରେଟ ପୋଲିସ ପକ୍ଷରୁ ଘନ ଘନ ପାଟ୍ରୋଲିଂ ଓ ସେଭ୍ ସିଟି ଡ୍ରାଇଭରେ ଚଢାଉ ଓ ଖାନ୍‌ତଲାସୀକୁ ଜୋରଦାର କରାଯାଇଛି । ନାଇଟ ପାଟ୍ରୋଲିଂକୁ କଡାକଡି କରାଯାଇଛି । ଗଳିକନ୍ଦୀରେ ପୋଲିସ ବୁଲୁଛି ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଉଛି । ହେଲେ ଏସବୁ ସତ୍ତ୍ୱେ ଅପରାଧୀମାନେ ବଡବଡ ଅପରାଧ ଘଟାଇ ଅତି ସହଜରେ କେମିତି ଖସି ଯାଉଛନ୍ତି? ପୋଲିସ ପଇଁନ୍ତରା ମାରୁଥିଲେ ମଧ୍ୟ ଅପରାଧୀଙ୍କ ସମ୍ପର୍କରେ ଟେର୍ ପାଉନି କେମିତି?

ଗତକିଛିଦିନର ତଥ୍ୟକୁ ଲକ୍ଷ୍ୟ କଲେ, କମିଶନରେଟ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠୁଛି । ଗତକାଲି ରାତିରେ ବିଚ୍ ରାସ୍ତାରେ ଜଣେ ସୁରକ୍ଷାକର୍ମୀଙ୍କୁ ଦୁର୍ବୃତ୍ତମାନେ ଗୋଡାଇ ଗୋଡାଇ ହାଣିଛନ୍ତି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିବା ସୁରକ୍ଷାକର୍ମୀ ଜଣକ ଯାଜପୁର ଅଞ୍ଚଳର ଗୌରାଙ୍ଗ ଦାସ । ସେ କେ-ୱାନ୍ ସିକ୍ୟୁରିଟି ଏଜେନ୍ସିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି ।

ସେ ଏକ ଅଟୋ ସୋ ରୁମ୍ ରେ ଡ୍ୟୁଟି କରୁଥିଲେ । ଏହି ସମୟରେ ହଠାତ୍ ତିନି ଜଣ ଦୁର୍ବୃତ୍ତ ଅସି ତାଙ୍କୁ ପାଣି ମାଗିଥିଲେ । ପରେ ଲୁଟ୍‌ପାଟ କରିବାକୁ ଯୋଜନା କରି ବିଫଳ ହେବାରୁ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ । ସିକ୍ୟୁରିଟି ଗାର୍ଡଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିିତ ହେଉଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ଦୁର୍ବୃତ୍ତଙ୍କ ଟେର୍ ପାଇପାରିନାହିଁ ।

ସେହିପରି ଗତ୧୫ତାରିଖ ସନ୍ଧ୍ୟାରେ କଦଳୀଗୋଦାମ ବସ୍ତିର ଚନ୍ଦନ ବେହେରା ହାତରେ ଗୋଟିଏ ଭଙ୍ଗା ବିଅର ବଟଲ ଧରି ଜଣେ ଯୁବକଙ୍କ ଘର ସାମ୍ନାରେ ଅଶ୍ରାବ୍ୟ ଭାବରେ ଗାଳି ଗୁଲଜ କରିଥିଲେ । ଯୁବକ ଜଣକ ଏହାର ପ୍ରତିବାଦ କରିବାରୁୁ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଆକ୍ରମଣ କରିଥିଲେ । ଏପରିକି ତାଙ୍କ ଛାତିରେ ବିୟର ବୋତଲ ମାଡ କରିଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲେ ମଧ୍ୟ ଘଟଣାଟିକୁ ଅଣାଦେଖା କରାଯାଇନପାରେ ।

ଖାଲି ଏତିକି ନୁହେଁ, ଇନଫୋସିଟି ଥାନା ଅଞ୍ଚଳରେ ଥିବା ରାଜବାଟିକା ଆପାର୍ଟମେଣ୍ଟ ରୁ ସିରିଜ ଲୁଟ୍ ହେଉ ଅବା କ୍ୟାପିଟାଲ ହସପିଟାଲରୁ ଚୋରି, ଏପରିକି ସ୍ମାର୍ଟସିଟି ପ୍ରୋଜେକ୍ଟରୁ ଚୋରି ଏସମସ୍ତ ଘଟଣା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ‘ସେଭ୍‌ସିଟି ଡ୍ରାଇଭ’ ନାଁରେ କେତେକ ହାତଗଣତି ମଦୁଆଙ୍କୁ ଧରି ବାହାଦୁରୀ ନେଉଥିବା ବେଳେ ଲୋକେ କେତେ ସେଭ୍ ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମାନ କରାଯାଇପାରେ । ତେଣୁ ବାହାଦୁରୀ ନେବାକୁ ଚେଷ୍ଠା କରିବା ବଦଳରେ ବାସ୍ତବରେ କାମ କରି ଲୋକଙ୍କ ପ୍ରିୟଭାଜନ ହେଉ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy