ଡକାୟତ ଗ୍ୟାଙ୍ଗ ଠାବ: ୪ ଗିରଫ, ୧ କିଲୋ ସୁନା ଓ ୩ ଲକ୍ଷ ଟଙ୍କା ଜବତ

0 320

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବେଶ କିଛିଦିନ ପରେ କମିଶନରେଟ ପୋଲିସକୁ ଏକ ବଡ ସଫଳତା ମିଳିିଛି । ୫ ଜିଲ୍ଲା ପୋଲିସର ମୋଷ୍ଟ୍ ୱାଣ୍ଟେଡ ଥିବା ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ଠାବ କରିଛି । ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କ ସମେତ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ଜଗତସିଂହପୁର ଶୁଭ୍ରକାନ୍ତ ବେହେରା ଓରଫ କାଜଲ, ଯାଜପୁର ଜିଲ୍ଲା ମଙ୍ଗଳପୁରର ବିଶ୍ୱଜିତ ଦାସ ଓରଫ ବିଟୁ ଓ ଜଗତସିଂହପୁରର ମଧୁସୂଦନ ମହାନ୍ତି । ଏମାନଙ୍କ ନାଁରେ ଏକାଧିକ ମାମଲା ରହିଛି । ସେମାନଙ୍କଠାରୁ ଏକ କିଲୋ ସୁନାଗହଣା, ୧. ୩ କିଲୋ ରୂପା ଅଳଙ୍କାର ଓ ନଗଦ ୩ ଲକ୍ଷ ୨୫ ହାଜର ଟଙ୍କା ଜବତ କରାଯାଇଛି । ଶୁଭ୍ରକାନ୍ତ ନାଁରେ ବିଭିନ୍ନ ଥାନାରେ ୩୧ଟି ମାମଲା ଥିବା ବେଳେ ବିଶ୍ୱଜିତ ନାଁରେ ୩୮ଟି ଓ ମଧୁସୂଦନ ନାଁରେ ୧୨ଟି ମାମଲା ରହିଛି । ମଧୁସୂଦନ ନାଁରେ ହତ୍ୟା ମାମଲା ମଧ୍ୟ ଥିବା ଜଣାପଡିଛି ।

ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଗତ ଦୁଇ ମାସ ହେଲା ସେମାନେ ସକ୍ରିୟ ଥିଲେ । ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ପଟିଆ, ଇନ୍‌ଫୋସିଟି ଓ ନନ୍ଦନକାନନ ଅଞ୍ଚଳରେ ସେମାନେ ୫ଟି ଚୋରି ମାମଲାରେ ସଂପୃକ୍ତ ଅଛନ୍ତି । ଏହା ବ୍ୟତୀତ ଏହି ଦୁଇ ମାସ ଭିତରେ ସେମାନେ ପୁରୀରେ ୩ଟି ଓ ଭଦ୍ରକରେ ୨ଟି ଡକାୟତି ମାମଲାରେ ଜଡିତ ଅଛନ୍ତି । ୨୦୨୩ ଜୁନ୍ ମାସରେ ଭୁବନେଶ୍ୱର ପୋଲିସ୍ ସେମାନଙ୍କୁ ଗିରଫ କରି ଜେଲ୍ ପଠାଇଥିଲା । ଗତ ଫେବ୍ରୁଆରୀ ମାସରେ ସେମାନେ ଜେଲ୍‌ରୁ ବାହାରିବା ପରେ ପୁଣି ଏକାଠି ହୋଇ ଡକାୟତି ଓ ଚୋରି ଆରମ୍ଭ କରି ଦେଇଥିଲେ ।

ଏହି ଗ୍ୟାଙ୍ଗ ବିଭିନ୍ନ ଅଞ୍ଚଳରେ ନିଜର ଲୋକାଲ ଇନ୍‌ଫର୍ମର ରଖୁଥିଲେ । କେଉଁ ଘର ଖାଲି ପଡୁଛି, ତା’ର ଖବର ନେଉଥିଲେ । ଇନଫର୍ମରମାନେ ଫୋନ୍ ଯୋଗେ ସେମାନଙ୍କ ସହିତ ଯୋଗାଯୋଗ କରୁଥିଲେ । ଲୁଟ୍ କରିବା ପରେ ସେମାନେ ବାଇକ୍‌ରେ ଚମ୍ପଟ ମାରୁଥିଲେ । ସେମାନେ ପାଖରେ ମାରଣାସ୍ତ୍ର ରଖୁଥିଲେ । ଆବଶ୍ୟକ ପଡିଲେ ଘରେ ଥିବା ଲୋକଙ୍କୁ ବାନ୍ଧି ଲୁଟ୍ କରୁଥିଲେ । ଏମିତିକି ବାଧା ଦେଲେ ଆକ୍ରମଣ କରିବାକୁ ପଛାଉ ନଥିଲେ ।

ଗତ ଦୁଇମାସ ହେଲାଣି ଭୁବନେଶ୍ୱର, ପୁରୀ, ଭଦ୍ରକ, ନୟାଗଡ଼ ଓ ଯାଜପୁର ଅଞ୍ଚଳରେ ସେମାନେ ସକ୍ରିୟ ଥିଲେ । ପୁରୀ ବଳଙ୍ଗାରେ ଏକ ଡାକ୍ତର ଦମ୍ପତିଙ୍କୁ ବାନ୍ଧି ଏହି ଗ୍ୟାଙ୍ଗ ଡକାୟତି କରିଥିଲେ । ସେହିଭଳି ଗତ ୩୦ ତାରିଖରେ ଭୁବନେଶ୍ୱରର କାନନବିହାରରୁ ଏକ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟି ନେଇଥିଲେ । ପୋଲିସ ଏହି ଗ୍ୟାଙ୍ଗ ଉପରେ ତୀକ୍ଷ୍ଣ ନଜର ରଖିଥିଲା । ଏହି ଗ୍ୟାଙ୍ଗର ଅନ୍ୟ ସହଯୋଗୀମାନଙ୍କୁ ଠାବ କରିବାକୁ ପୋଲିସ ଉଦ୍ୟମ ଚଳାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy