ଲୁଟେରା ଗ୍ୟାଙ୍ଗ ଠାବ, ୩ ଗିରଫ

0 210

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାସ୍ତାରୁ ପଥଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟପାଟ କରୁଥିବା ଏକ ଗ୍ୟାଙ୍ଗକୁ ଇନଫୋଭ୍ୟାଲି ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କାଇମାଟିଆରେ ରହୁଥିବା ଜଗତସିଂପୁରର ସତ୍ୟବ୍ରତ ସ୍ୱାଇଁ, ପାଣ୍ଡରାରେ ରହୁଥିବା ନୟାଗଡର ସିଦ୍ଧାନ୍ତ ପ୍ରଧାନ ଓ ଧଉଳି ନୂଆଗାଁରେ ରହୁଥିବା ହରିଆନାର ମୋହିତ ସାଇନି । ପୁଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ଗତ ତା ୧୫.୦୮.୨୦୨୩ ମଧ୍ୟ ରାତ୍ରିରେ ଅଭିଯୋଗକାରୀ ରୁଦ୍ରମାଧବ ମିଶ୍ର ସ୍କୁଟି ଯୋଗେ ଭୁବନେଶ୍ୱରରୁ ଘରକୁ ଫେରୁଥିଲେ । ସେ ଯାଆଁଳାରୁ ଗୋହିରିଆ ଛକ ନିକଟବର୍ତ୍ତୀ ରାସ୍ତାରେ ପହଞ୍ଚିବା ସମୟରେ ଗିରଫ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ କାଦୁଅ ବୋଳା ନମ୍ବର ପ୍ଲେଟ ଗୋଟିଏ ମୋଟରସାଇକେଲରେ ତାଙ୍କୁ ପିଛା କରିବା ସହ ରାସ୍ତାରେ ଅଟକାଇ ଗାଳି ଗୁଲଜ କରିଥିଲେ । ଅଭିଯୁକ୍ତମାନେ ସାଙ୍ଗରେ ଆଣିଥିବା ଛୁରୀ ଦ୍ୱାରା ଅଭିଯୋଗକାରିଙ୍କୁ ଧମକାଇବା ସହ ତାଙ୍କର ମୋବାଇଲ ଫୋନ ଏବଂ ୨୦୦୦/- ଟଙ୍କା ବଳପୂର୍ବକ ଲୁଟ କରି ଚାଲି ଯାଇଥିଲେ । ଅଭିଯୋଗକାରୀ ଘଟଣାସ୍ଥଳରୁ ଆସି ଜଟଣୀ ଗେଟ ନିକଟରେ ଥିବା ପିସିଆର କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ।

ପିସିଆର ଟିମ ତୁରନ୍ତ ଅଭିଯୁକ୍ତ ମାନଙ୍କ ପିଛା କରିବା ସହ ଗଙ୍ଗପଡା ଓଭର ବ୍ରିଜ ନିକଟରେ ଅଭିଯୁକ୍ତ ସୁଶୀଲ ଓରଫ ମନୋଜ କୁମାର ମଙ୍ଗରାଜଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ସ୍ଥଳେ ଅଭିଯୁକ୍ତ ସହଯୋଗୀ ସିଦ୍ଧାନ୍ତ ପ୍ରଧାନ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଏହି ମାମଲାର ତଦନ୍ତ ଜାରି ରହିଥିବା ସ୍ଥଳେ ଗତକାଲି ବିଶେଷ ସୂତ୍ରରୁ ଖବର ପାଇଁ ଇନ୍‌ଫୋଭ୍ୟାଲି ଥାନା ପୁଲିସ ଅଭିଯୁକ୍ତ ସିଦ୍ଧାନ୍ତ ଏବଂ ସତ୍ୟବ୍ରତ ସ୍ୱାଇଁଙ୍କୁ ଗୋହିରିଆ ଚକ ନିକଟରୁ କାବୁ କରିବା ସହ ସେମାନଙ୍କ ହେପାଜତରୁ ୨ଟି ମୋଟରସାଇକେଲ, ଗୋଟିଏ ଭୁଜାଲି, ଗୋଟିଏ ଲ୍‌ଯାପଟପ, ଏବଂ ୪ଟି ମୋବାଇଲ ଫୋନ ଜବତ କରିବାରେ ସକ୍ଷମ ହୋଇଥିଲେ ।

ଅଭିଯୁକ୍ତ ମାନଙ୍କର ତଦନ୍ତ ବେଳେ ସେମାନେ ନିଜର ଅପରାଧ ସ୍ୱୀକାର କରିବା ସହ ଚୋରୀ ମୋବାଇଲ ଗୁଡିକୁ ନିମ୍ନୋକ୍ତ ଅଭିଯୁକ୍ତ ମୋହିତ ସାଇନଙ୍କୁ ବିକ୍ରୟ କରୁଥିବା ଦର୍ଶାଇଥିଲେ । ଅଭିଯୁକ୍ତ ମାନଙ୍କର ତଥ୍ୟ ଆଧାରେ ପୁଲିସ ଚଢଉ କରିବା ସହିତ ଅଭିଯୁକ୍ତ ମୋହିତଙ୍କୁ କାବୁ କରିବା ସହ ତାଙ୍କର ହେପାଜତରୁ ୨୮ଟି ଚୋରୀ ମୋବାଇଲ ଫୋନ ଜବତ କରିଥିଲେ । ପୁଲିସ ଅଭିଯୁକ୍ତମାନଙ୍କର ଅପରାଧିକ ପୃଷ୍ଠଭୂମି ଯାଞ୍ଚ ବେଳେ ଅଭିଯୁକ୍ତ ସିଦ୍ଧାନ୍ତଙ୍କ ନାମରେ ପୂର୍ବରୁ ଶହୀଦନଗର ଏବଂ ଇନ୍‌ଫୋଭ୍ୟାଲି ଥାନାରେ ୫ଟି ମାମଲା, ଅଭିଯୁକ୍ତ ସତ୍ୟବାନ ଏବଂ ମୋହିତଙ୍କ ନାମରେ ଇନ୍‌ଫୋଭ୍ୟାଲି ଥାନାରେ ଗୋଟିଏ ଗୋଟିଏ ମାମଲା ରୁଜୁ ହୋଇଥିବାର ଜାଣିବାକୁ ପାଇଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy