ନାବାଳିକାକୁ ପୋଲିସ କଲା ଅସଦାଚରଣ, ଥାନାରେ ମାମଲା!

0 1,596

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ପୋଲିସ କର୍ମଚାରୀଙ୍କ ନାବାଳିକା ଝିଅକୁ ଆଉ ଜଣେ ପୋଲିସ ଅସଦାଚରଣ କରିଛି । ମାମଲା ଥାନାରେ ପହଞ୍ଚିଥିବା ବେଳେ ବଦନାମ ଭୟରେ ପୋଲିସ ଏହାର ଆପୋଷ ସମାଧାନ କରିବାକୁ ଜୋରଦାର ପ୍ରୟାସ କରୁଛି ।

ମିଳିଥିବା ସୂଚନା ଅନୁସାରେ, କମିଶନରେଟ ପୋଲିସରେ କାର୍ଯ୍ୟରତ ଦୁଇ ପୋଲିସ କର୍ମଚାରୀ ପାଖାପାଖି ସରକାରୀ କ୍ୱାଟରରେ ରହୁଛନ୍ତି । ଜଣେ ବାଟାଲିୟନରେ କାର୍ଯ୍ୟରତ ଥିବା ବେଳେ ଅନ୍ୟ ଜଣେ ଏକ ଗୁରୁତ୍ୱପୂର୍ଣ୍ଣ ଥାନାରେ କାର୍ଯ୍ୟରତ ଅଛନ୍ତି । ପାଖାପାଖି ରହିବା ସମୟରେ ଥାନାରେ କାର୍ଯ୍ୟରତ ଜଣେ କରିତକର୍ମା କର୍ମଚାରୀ ପଡୋଶୀ ଘର ନାବାଳିକା ଝିଅ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲା । ଗତ ଦୀପାବଳୀ ଦିନ ବାଣ ଫୁଟାଇବାକୁ ଡାକି ସେ ନାବାଳିକାକୁ ଘର ଭିତରେ ଅସଦାଚରଣ କରିଥିଲା ।

ଘଟଣା ଜଣାପଡିବା ପରେ ନାବାଳିକାର ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ । ଘଟଣାଟି ଦୁଇ ପୋଲିସ ପରିବାର ମଧ୍ୟରେ ହୋଇଥିବାରୁ ବଦନାମ ଭୟରେ ଥାନାରେ ଏହାର ଆଶୁସମାଧାନ ଲାଗି ଉଦ୍ୟମ ଆରମ୍ଭ ହୋଇଛି । କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାରେ ହସ୍ତକ୍ଷେପ କରିବା ସହ ମାମଲାର ତୁରନ୍ତ ସାମଧାନ ଓ ଘଟଣା ବାହାରେ ପ୍ରଘଟ ନହେବାକୁ ଉଦ୍ୟମ ଚଳାଇଛନ୍ତି । ଏପରିକି ଅସଦାଚରଣ କରିଥିବା ପୋଲିସ କର୍ମଚାରୀଙ୍କୁ ତୁରନ୍ତ ସେ ଘର ଛାଡି ଅନ୍ୟତ୍ର ପଳାଇବାକୁ କୁହାଯାଇଛି । ତେବେ ଏହି ଘଟଣା ଏବେ ପୋଲିସ ମହଲରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy