‘ସେବା’ ନୁହେଁ ଲୋକଙ୍କୁ ‘ସଜ୍ଜା’ ଦେଉଛି ପୋଲିସ!

0 886

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୋଲିସ ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ଉଦ୍ଦେଶ୍ୟରେ କମିଶନରେଟ ପୋଲିସ ବିଲଡିଂକୁ ‘ପୋଲିସ ସେବା ଭବନ’ ନାମରେ ନାମିତ କରାଗଲା । ଲୋକଙ୍କୁ ସଚେତନ କରିବା ସହ ସେବକ ଭାବେ ସେମାନଙ୍କୁ ସେବା ଯୋଗାଇବାକୁ ପୋଲିସକୁ କୁହାଗଲା । ମାତ୍ର ଏହି ସଂଜ୍ଞା ଏବେ ବଦଳି ଯାଇଛି । କିଛି ଅଯୋଗ୍ୟ ପୋଲିସ ଅଫିସର ଏବେ ସେବା ନୁହେଁ ବରଂ ଲୋକଙ୍କୁ ସଜ୍ଜା ଦେବାରେ ଲାଗି ପଡିଛନ୍ତି । ଏହି ଦୌଡରେ ଟ୍ରାଫିକ ଥାନା ଏବେ ଶୀର୍ଷରେ ରହିଥିବା ଜଣାପଡିିଛି ।

ସହରରେ ଦୁର୍ଘଟଣା ରୋକିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ସହରରେ ଛକ ଛକରେ କ୍ୟାମେରା ଲଗାଯାଇ ଅମାନିଆଙ୍କ ଉପରେ ନଜର ରଖାଯାଉଛି । ନିୟମ ଉଲଂଘନକାରୀଙ୍କୁ ନୋଟିସ ପଠାଯାଇ ଜୋରିମାନା ଆଦାୟ କରାଯାଉଛି । ଏଥିସହିତ ବ୍ଲକିଂ ଓ ଚେକିଂ ମାଧ୍ୟମରେ ମଦ୍ୟପ ଗାଡି ଚଳାକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । ମାତ୍ର କେତେକ କ୍ଷେତ୍ରରେ ଟ୍ରାଫିକ ପୋଲିସ ସଠିକ ତଦନ୍ତ ନକରି ନିରିହଙ୍କ ଉପରେ ଜୁଲମ ପୂର୍ବକ ଗାଡି ଜବତ କରି କୋର୍ଟ ପଠାଉଥିବା ନଜୀର ରହିଛି । ଯାହା ଅତ୍ୟନ୍ତ ନିନ୍ଦନୀୟ ଓ ସଜ୍ଜା ସଦୃଶ ହୋଇଛି ।

ଗତ କିଛିଦିନ ହେଲା ଟ୍ରାଫିକ ପୋଲିସ ପକ୍ଷରୁ ମୋବାଇଲ ଫୋନ ବ୍ୟବହାରୀ ଗାଡି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏଭଳି ଚେକିଂ ହେବା ମଧ୍ୟ ଉଚିତ । ମାତ୍ର କେତେକ କ୍ଷେତ୍ରରେ ଜରୁରୀ କାର୍ଯ୍ୟ ଲାଗି ଫୋନରେ କଥା ହେଉଥିବା ଭଦ୍ର ଲୋକମାନେ ଟ୍ରାଫିକ ପୋଲିସ ଜୁଲମର ଶୀକାର ହେଉଛନ୍ତି । ପୋଲିସକୁ ଜରୁରୀ କାମ କଥା କହିଲେ ମଧ୍ୟ ସେମାନଙ୍କୁ ଶୁଣିବା ପରିବେର୍ତ୍ତ ଦବଙ୍ଗ ଷ୍ଟାଇଲରେ ବ୍ୟବହାର କରିବା ସହିତ ମାଓବାଦୀଙ୍କୁ ଧରିବା ଭଳି ସେମାନଙ୍କ ଗାଡିକୁ ସିଜ୍ କରିଦେଉଛି । ଏପରକିି କୋର୍ଟରୁ ଆସୁଥିବା ରିଲିଜ ଅର୍ଡରରେ ଫାଇନ ସହ ଗୋଟିଏ କିମ୍ବା ଦୁଇ ଦିନ ଲାଗି ଜେଲ ଦଣ୍ଡ ଭୋଗୁଥିବା ଦର୍ଶାଯାଉଛି । ଫଳରେ ଜଣେ ଲୋକ ଏଭଳି ଅସୁବିଧାରେ ପଡୁଛି, ଯାହା କହିବା ବି ମୁସ୍କିଲଏ ହୋଇପଡୁଛି ।

ନିକଟରେ ମଞ୍ଚେଶ୍ୱରରେ ରହୁଥିବା ମଳୟ ମହାନ୍ତି ନାମକ ଜଣେ ବ୍ୟକ୍ତି ବାପୁଜୀ ନଗରରୁ ରସୁଲଗଡ ଅଭିମୁଖେ ନିଜ କାରରେ ଆସୁଥିଲେ । ରାଜମହଲ ଛକ ନିକଟରେ ହସପିଟାଲରେ ଥିବା ଜଣେ ବନ୍ଧୁ ଜରୁରୀକାଳିନ ସାହାର୍ଯ୍ୟ ଲାଗି ତାଙ୍କୁ ଫୋନ କରିଥିଲେ । ସେ ଟ୍ରାଫିକ ନିୟମ ସମ୍ପର୍କରେ ଅବଗତ ଥିଲେ ମଧ୍ୟ ମେଡିକାଲ କେସ୍ ଥିବାରୁ ସେ ଫୋନଟି ଉଠାଇ ଦେଇଥିଲେ । ମାତ୍ର ଟ୍ରାଫିକ ପୋଲିସ ତାଙ୍କ ଗାଡିକୁ ସିଜ୍ କରି କୋର୍ଟ ପଠାଇ ଦେଇଥିଲା । ଗାଡି ସିଜ୍ ହେବାରୁ ସେ ହସପିଟାଲ ଠିକ୍ ସମୟରେ ପହଞ୍ଚି ପାରିନଥିଲେ । ବନ୍ଧୁ ଜଣକ ହସପିଟାଲରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ ।

ଏହି ଗୋଟିଏ ଘଟଣା ନୁହେଁ ଏଜି ଛକରେ ଜଣେ ଭଦ୍ରଲୋକ ଏକ ଦୁର୍ଘଟଣା ମାମଲାରେ ତାଙ୍କ ସମ୍ପର୍କୀୟଙ୍କୁ ଫୋନ କରି ଚିକିତ୍ସା ନିମନ୍ତେ ବୁଝୁଥିଲେ । ପୋଲିସ ତାଙ୍କୁ ମଧ୍ୟ ଥାନାରେ ଅଟକାଇ ଗାଡିକୁ ସିଜ କରି ଦୁଇଦିନ ରଖିଥିଲା । ସେହିପରି ଜିଲ୍ଲା ବାହାରୁ ଆସୁଥିବା ଲୋକେ ଟ୍ରାଫିକର ଏହି ନିୟମ ସମ୍ପର୍କରେ ଜାଣିନଥିବାରୁ ଅସୁବିଧାରେ ପଡି ରାଜଧାନୀର ରାସ୍ତା କଡରେ ରାତି କାଟିବାକୁ ବାଧ୍ୟ ହେଉଛି । ଯଦି କେହି ନିଜ ଅସୁବିଧା ସମ୍ପର୍କରେ ଟ୍ରାଫିକ ପୋଲିସ ଅଧିକାରୀଙ୍କୁ କହୁଛି, ସେମାନେ ତାଙ୍କୁ ଦବଙ୍ଗ ଷ୍ଟାଇଲରେ ‘ଉପରୁ ନିର୍ଦ୍ଦେଶ ଅଛି’ କହି ବିଦା କରିଦେଉଛନ୍ତି ।

କମିଶନରେଟ ପୋଲିସ ଅଫିସରଙ୍କ ବ୍ୟବହାରରେ ପରିବର୍ତ୍ତନ ଘଟିଲା କାହିଁକି? ବଡବଡିଆଙ୍କ ସୁପାରିଶରେ ଥଇଥାନ ହୋଇଥିବାରୁ ଅଫିସରଙ୍କ ରୋବାବ ବଢୁଛି କି? ନା ନିଜକୁ ହିନ୍ଦୀ ଫିଲ୍ମର ହିରୋ ବୋଲି ଭାବୁଛନ୍ତି? ସାଧାରଣରେ ଏଭଳି ଅନେକ ପ୍ରଶ୍ନ ଉଠୁଛି । ତେବେ ଗାଡି ଚେକିଂ ହେଉ, କାର୍ଯ୍ୟାନୁଷ୍ଠାନ ବି ନିଆଯାଉ, ହେଲେ ଜରୁରୀ ସମୟରେ ଫୋନ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ କଥାକୁ ଯାଞ୍ଚ କରାଯାଉ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy