ପରଲୋକରେ ସ୍ୱରୂପ ନାୟକ

0 3,483

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଷିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ ଘଟିଛି । ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକରେ ସମଗ୍ର ସଙ୍ଗୀତ ଓ ସିନେଜଗତ ସ୍ତବ୍ଦ ହୋଯାଇଛି । ୧୯୪୬ ମସିହା ଫେବୃଆରି ୮ ତାରିଖରେ କଟକଠାରେ ଜନ୍ମଗ୍ରହଣ କରିଥିବା ସ୍ବରୂପ ୧୯୬୨ରେ ମୁକ୍ତିପ୍ରାପ୍ତ ‘ଜୟଦେବ’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ବଡ଼ ପରଦାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ ସେ । ବଡ଼ ହେବା ପରେ ସ୍ୱରୂପ ‘ସତୀ ଅନସୂୟା‘, ‘ସୁନା ସଂସାର’, ‘କଳାମାଣିକ’, ‘କଣ୍ଢେଇ ଆଖିରେ ଲୁହ’ ଓ ‘ଯଶୋଦା’ ଆଦି ବେଶ୍‌ କେତୋଟି ଓଡ଼ିଆ ଛବିରେ ଅଭିନେତା ଭାବେ ଖଳନାୟକ, ହାସ୍ୟାଭିନେତା ଓ ଚରିତ୍ର ଅଭିନ‌ତା ଭାବେ ନଜର ଆସିଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ ନୀହାରିକା, ଦୁଇ କନ୍ୟା ନିବୃତ୍ତି ଓ ନିଦ୍ରା ଉପସ୍ଥିତ ଥିଲେ।

ସ୍ୱରୂପ ନାୟକ ଗୀତିକାର-ସଙ୍ଗୀତକାର ଭାବେ ଓଲିଉଡ଼ରେ ବିଶେଷ ସଫଳତା ହାସଲ କରିଥିଲେ । ତାଙ୍କ ସ୍ୱରାରୋପିତ ପ୍ରଥମ ଓଡ଼ିଆ ଛବି ଥିଲା ଦୁର୍ଗା ନନ୍ଦଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ହୀରାନୀଳା’ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶିତ କେତେକ ଉଲ୍ଲେଖନୀୟ ଛବି ମଧ୍ୟରେ ରହିଛି- ଲାଲପାନ ବିବି, ବଗଲାବଗୁଲୀ, ଲକ୍ଷେ ଶିବ ପୂଜି ପାଇଚି ପୁଅ, ଯଶୋଦା, କୃଷ୍ଣା କାବେରୀ, ଶେଷ ପ୍ରତୀକ୍ଷା, କି ହେବ ଶୁଆ ପୋଷିଲେ, ସୁଭଦ୍ରା, ସକଳ ତୀର୍ଥ ତୋ’ ଚରଣେ, ଉଦଣ୍ଡୀ ସୀତା, ପଞ୍ଜୁରୀ ଭିତରେ ଶାରୀ, ମୋ’ କୋଳ ତୋ’ ଝୁଲଣା, ଏ ଯୁଗର କୃଷ୍ଣ ସୁଦାମା, ଆଇ ଲଭ ୟୁ, ଅର୍ଜୁନ, ପ୍ରେମୀ ନମ୍ବର ଓ୍ଵାନ, ଶାଶୁ ଘର ଚାଲିଯିବି, ପ୍ରେମ ଋତୁ ଆସିଲାରେ, ପ୍ରଥମ ପ୍ରେମ, ମୁଁ ତତେ ଲଭ୍‌ କରୁଚି, ରୋମିଓ ଦ ଲଭରବୟ ଏବଂ ଅପ୍‌ନା ହାତ୍‌ ଜଗନ୍ନାଥ  । ସେ ସତୁରିରୁ ଅଧିକ ଓଡ଼ିଆ ଛବିରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅଶୀରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଗୀତର ରଚନା କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy