ଡାକ୍ତର ଦମ୍ପତ୍ତି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

0 464

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍ ଶ୍ରୀମତୀ ବନ୍ଦନା କର, ଆସାମୀ ଟିମ୍ପା ଓରଫ କିଶୋର ଚନ୍ଦ୍ର ବେହେରା, ଏମଡି କାମାଲ ଖାନ, ନିନି ଓରଫ ଫୁଲଶାରୀ ବେହେରା, ଜବନ ନାଏକ ଓ ସୁଭଦ୍ରା ବେହେରା ଓରଫ ଟିକିନାକୁ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଯାଇଥିବା ୨୦୧୫ ମସିହାର ଡାକ୍ତର ଦମ୍ପତି ହତ୍ୟା ସହ ଡକାୟତି ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇଛନ୍ତି ।

ଘଟଣାର ଅନ୍ତରାଳେ:ଗତ ତା ୧୫.୧୧.୨୦୧୫ ରିଖରେ ଅଭିଯୋଗକାରୀ ସତ୍ୟଦର୍ଶୀ ମିଶ୍ର ଯେ କି ଶୈଳେଶ୍ରୀ ବିହାରରେ ରହୁଥିଲେ ଓ ଘଟଣା ଦିନ ସେ ତାଙ୍କର ବାପା ଡ ପ୍ରଫୁଲ୍ଲ କୁମାର ମିଶ୍ର ଏବଂ ମା ସୁଷମାରାଣୀ ମିଶ୍ରଙ୍କୁ ବାରମ୍ବାର ଫୋନ କରିବାରେ କୌଣସି ଉତ୍ତର ନମିଳିବାରୁ ନିଜେ ଶୈଳେଶ୍ରୀ ବିହାର ସ୍ଥିତ ଭିଆଇଏମ-୬୦୮ ଥିବା ଘରକୁ ଆସିଥିଲେ ଓ ଘର ବାହାରୁ ତାଲା ପଡିଥିବାର ଦେଖିଥିଲେ । ଅଭିଯୋଗକାରୀଙ୍କର ମନରେ ସନ୍ଦେହ ହେବାରୁ ସେ ଘରର ପାଚେରି ଡେହିଁ ଘର ଭିତରକୁ ଯାଇଥିଲେ ଏବଂ ତାଙ୍କର ବାପା ମାଙ୍କର ମର ଶରୀରକୁ ଶୋଇବା ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିବାର ଦେଖିଥିଲେ ଓ ଘରର ଅସବାସପତ୍ର ଗୁଡିକ ଏଣେତେଣେ ପଡିଥିବାର ପାଇଥିଲେ । ତାଙ୍କ ବାପାଙ୍କର ବେକକୁ ଏକା ଶାଢୀ ରେ ଚିପା ହେବା ସହ ଗୋଡକୁ ବାନ୍ଧି ଦିଆ ହୋଇଥିଲା ଓ ତାଙ୍କ ମାଙ୍କ ମୁଣ୍ଡରେ ଗଭୀର କ୍ଷତ ଲାଗିଥିଲା । ଏନେଇ ସେ ଚନ୍ଦ୍ରଶେଖରପୁର ଥାନା ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକାରୀଙ୍କ ଏତାଲା ଆଧାରରେ ଚନ୍ଦ୍ରଶେଖରପୁର ଥାନା କେସ ନଂ-୪୬୧/୨୦୧୫, ଦଫା- ୩୯୬ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଥାନାର ତତ୍କାଳୀନ ଭାରପ୍ରାପ୍ତ ଅଧିକାରୀ ଇନ୍ସପେକ୍ଟର ଦେବୀ ଶଙ୍କର ପ୍ରତାପ ଏହାର ତଦନ୍ତ ଭାର ନେଇଥିଲେ । ଘଟଣାଟି ସେହି ସମୟରେ ବେସ ଚର୍ଚ୍ଚି଼ିତ ହୋଇଥିଲା ଓ ଘଟଣାର ସମ୍ପୃକ୍ତ ଅଜଣା ଅପରାଧୀ ମାନଙ୍କୁ ଧରବା ପୁଲିସ ପାଇଁ ଏକ ବଡ ଆହ୍ୱାନ ଥିଲା । ଶ୍ରୀ ପ୍ରତାପ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହିତ ଅଭିଯୁକ୍ତ ଟିମ୍ପା ଓରଫ କିଶୋର ଚନ୍ଦ୍ର ବେହେରାଙ୍କୁ ତାମିଲନାଡୁରୁ, ସୁଭଦ୍ରା ବେହେରା ଓରଫ ଟିକିନାକୁ ଆନ୍ଦ୍ରପ୍ରଦେଶ ଏଲୁରୁ ରୁ ଓ ଆସାମୀ ଏମଡି କାମାଲ ଖାନ, ନିନି ଓରଫ ଫୁଲଶାରୀ ବେହେରା, ଜବନ ନାଏକଙ୍କୁ ଗିରଫ କରାଯାଇଥିଲା । ଆସାମୀ ମାନଙ୍କୁ ଠାରୁ ଚୋରୀ ଜିନିଷ ଜବତ କରିବା ସହ ହତ୍ୟାରେ ବ୍‌ଯବହୃତ ମାରଣାସ୍ତ୍ର ଜବତ କରାଯାଇଥିଲା । ବୈଜ୍ଞାନିକ ପଦ୍ଧତିରେ ଘଟଣା ସ୍ଥଳରୁ ମିଳିଥିବା ଫିଙ୍ଗର ପ୍ରିଣ୍ଟ ଓ ଫୁଟ ପ୍ରିଣ୍ଟ ଆସାମୀ ମାନଙ୍କ ସହିତ ମେଳ ଖାଇଥିଲା । ତଦନ୍ତ କାରୀ ଅଫିସର ସଠିକ ତଦନ୍ତ କରିବା ସହ ଅଦାଲତରେ ସଠିକ ସମୟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ । ତଦନ୍ତରେ ସ୍ପଷ୍ଟ ହୋଇଥିଲା ଯେ, ଆସାମୀ ମାନେ ପୂର୍ବ ଯୋଜନା ମୁତବକ ବୟସ୍କ ଦମ୍ପତିଙ୍କୁ ଅସହାୟ ଭାବି ତା ଘରେ ଲୁଟ କରିବା ସହ ସେମାନଙ୍କୁ ହତ୍ୟା କରିଥିଲେ ।

ଏହି ମାମଲା ରେ ମାନ୍ୟବର ଅଦାଲତ ୨୩ ଜଣ ସାକ୍ଷୀ ମାନଙ୍କ ବୟାନ ରେକର୍ଡ କରି ଓ ପ୍ରଯୁଜ୍ୟ ଦସ୍ତାବିଜକୁ ଗ୍ରହଣ କରିଥିଲେ । ପୂର୍ବରୁ ହୋଇଥିବା ଟିଆଇ ପ୍ୟାରେଡ ଚି଼ହ୍ନଟ ପ୍ରକ୍ରିୟାରେ ଜଣେ ପ୍ରତ୍ୟକ୍ଷଦର୍ଶୀ ଅଭିଯୁକ୍ତମାନଙ୍କୁ ମାଜିଷ୍ଟ୍ରେଟେଙ୍କ ସମୁଖରେ ଆସାମୀମାନଙ୍କୁ ଚି଼ହ୍ନଟ କରିଥିଲେ । ଏହି ସମସ୍ତ ଘଟଣାଙ୍କୁ ବିଚାର କରି ମାନ୍ୟବର ଅଦାଲତ ଟିମ୍ପା ଓରଫ କିଶୋର ଚନ୍ଦ୍ର ବେହେରା, ଏମଡି କାମାଲ ଖାନ, ନିନି ଓରଫ ଫୁଲଶାରୀ ବେହେରା, ଜବନ ନାଏକ ଓ ସୁଭଦ୍ରା ବେହେରା ଓରଫ ଟିକିନାକୁ ଆଜୀବନ କାରାଦଣ୍ଡାଦେଶ ସହ ପ୍ରତ୍ୟକ ଅସାମୀଙ୍କୁ ୨୦,୦୦୦/- ଟଙ୍କା ଲେଖାଏଁ ଜୋରିମାନା ଏବଂ ଜୋରିମାନା ଅନାଦେୟ କ୍ଷେତ୍ରରେ ଅତ୍ୟଧିକ ୬ ମାସର ଦଣ୍ଡାଦେଶ ପ୍ରକାଶ କରିଛନ୍ତି । ଏହି ମକଦମା ରେ ସରକାରଙ୍କ ତରଫରୁ ଓଡିଶା ଗୃହ ବିଭାଗ ଦ୍ୱାରା ସ୍ୱତନ୍ତ୍ର ଭାବରେ ନିଯୁକ୍ତ ଭିଜିଲାନ୍ସ ପବ୍ଲିକ ପ୍ରୋସିକ୍ୟୁଟର ଅଜିତ କୁମାର ପଟ୍ଟନାୟକ ମାମଲାଟି କୁ ପରିଚାଳନା କରୁଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy