ବାଇଁଆ ଓ ରୁଦ୍ର ମଧ୍ୟରେ ମହାମେଣ୍ଟ, ବୁନୁ ବିରୋଧରେ ଏକଜୁଟ ହେଲେ

0 1,144

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନରୁ ଆଶାୟୀ ଥିବା ଅମରେଶ ଜେନା ଓରଫ ବାଇଁଆ ଓ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ମଧ୍ୟରେ ଏକ ମହାମେଣ୍ଟ ହୋଇଛି । ଏମାନେ ପରସ୍ପରକୁ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବୁନୁ ବିରୋଧରେ ରଣହୁଙ୍କାର ଦେଇଛନ୍ତି । ଯଦି ଦଳ ବୁନୁଙ୍କୁ ରିପିଟ୍ କରେ, ତେବେ ଏମାନେ ତାଙ୍କ ବିରୋଧରେ ଯିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛ ।

ଭୁବନେଶ୍ୱରର ୩ ଆସନରୁ ଦଳ ପୁରୁଣା ପ୍ରାର୍ଥୀଙ୍କୁ ରିପିଟ୍ କରିବ ବୋଲି ଜଣାପଡିବା ପରେ ରୁଦ୍ର ଓ ବାଇଁଆଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ବସିଥିଲା । ବୈଠକରେ ବୁନୁ ବିରୋଧରେ କିପରି ରଣନୀତି ପ୍ରସ୍ତୁତ କରାଯିବ, ସେ ନେଇ ଆଲୋଚନା ହୋଇଥିଲା । ବୁନୁଙ୍କୁ ଚେକ୍ ଦେବାକୁ ହେଲେ ଏମାନଙ୍କ ମଧ୍ୟରୁ ଜଣକୁ ମୈଦାନକୁ ଓହ୍ଲାଇବାକୁ ପଡିବ । ଦଳ ଯଦି ଟିକେଟ ନଦିଏ, ତେବେ ରୁଦ୍ର ଓ ବାଇଁଆଙ୍କ ମଧ୍ୟରୁ ଜଣେ ସ୍ୱାଧିନ ଭାବେ ଲଢିବେ । ଯିଏ ଲଢିବ ତାକୁ ଅନ୍ୟ ଜଣେ ପୂର୍ଣ୍ଣ ସମର୍ଥନ ଦେବ ।

ଏହି ଦୁଇ ଜଣଙ୍କୁ ଉଇ ଫର ଭୁବନେଶ୍ୱର ସଂଗଠନ ମଧ୍ୟ ସହାୟତା କରିବ । ସ୍ୱାଧିନ ଭାବେ ହୁଏତ ଏମାନେ ଜିତି ନପାରନ୍ତି, ହେଲେ ବୁନୁଙ୍କୁ ପରାସ୍ତ କରିବାକୁ ଏହା ଯଥେଷ୍ଟ ବୋଲି ବୈଠକରେ ଅଙ୍କକଷା କରାଯାଇ ଆକଳନ କରାଯାଇଛି । ରୁଦ୍ର ଓ ବାଇଁଆଙ୍କ ଏହି ମହାମେଣ୍ଟ ରାଜଧାନୀ ରାଜନୀତିକୁ ଓଲଟପାଲଟ କରିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ଆକଳନ ଅନୁସାରେ, ବାଇଁଆଙ୍କର ପକେଟ ଭୋଟ ୨୫ ହଜାରରୁ ଅଧିକ ରହିଛି । ସେହିପରି ବସ୍ତି ଭୋଟରୁ ଅଧାରୁ ଅଧିକ ରୁଦ୍ରଙ୍କ ଖାତାକୁ ଯିବ । ଏହା ବାଦ୍ ଉଇ ଫର ଭୁବନେଶ୍ୱର ପାଖାପାଖି ୧୦ ହଜାର ଭୋଟ ଯୋଗାଇଦେବ । ସବୁ କଟିକାଟି ଯଦି ଏମାନଙ୍କ ହାତରେ ମାତ୍ର ୨୦ ହଜାର ଭୋଟ ରୁହେ, ତେବେ ବୁନୁ ଧରାଶାୟୀ ହେବା ନିଶ୍ଚିତ । ଏହି ଆକଳନ ଅନୁସାରେ ରୁଦ୍ର-ବାଇଁଆ ମହାମେଣ୍ଟ ଆଜିଠାରୁ କାମ ଆରମ୍ଭ କରିବ ବୋଲି ଜଣାପଡିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy