ଆନ୍ଦୋଳନକୁ ଓହ୍ଲାଇବ ରାଜଧାନୀ କଞ୍ଚା ପରିବା ମହାସଂଘ

0 285

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସମାଧାନ କରିବା ପରିବର୍ତ୍ତେ ଘଟଣାକୁ ଜଟିଳ କରାଯାଉଛି । ମହାସଂଘ ଦାବିକୁ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରଶାସନ ପାଳନ କରୁନଥିବା ବେଳେ ମହାସଂଘ ଦିନକୁ ଦିନ ଅଧିକ ଅସୁବିଧାର ସମ୍ମୁଖିନ ହେବାରେ ଲାଗିଛି । ଦୀର୍ଘଦିନ ହେଲା ବିଏମ୍‌ସି ଓ ସ୍ଥାନୀୟ ପ୍ରଶାସନ ନିକଟରେ ଆମର ଦାବି ଉପସ୍ଥାପନ କରାଯାଉଥିଲେ ମଧ୍ୟ ସେମାନେ ଏହାକୁ ହାଲକା ଭାବେ ନେଇ ଚୁପ୍ ବସିପଡୁଛନ୍ତି । ଫଳରେ ବ୍ୟବସାୟୀ ଓ ଖାଉଟୀମାନେ ହଇରାଣ ହରକତ ହେଉଛନ୍ତି । ସଂଘର ଦାବି ପୂରଣ ନହେବାରୁ ପରିବା ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ରାଜଧାନୀ କଞ୍ଚା ପରିବା ମହାସଂଘର ସଭାପତି କବିରାଜ ସ୍ୱାଇଁ କହିଛନ୍ତି, ଗତ ଦୁର୍ଗାପୁଜା ସମୟରେ ସ୍ଥାନୀୟ ତଥା ୪୦ ନମ୍ବର ୱାର୍ଡର କର୍ପୋରେଟରଙ୍କ ସ୍ୱାମୀ ପୂଜା ବାହାନାରେ ଏକ ନମ୍ବର ପରିବା ହାଟକୁ ପଡିଥିବା ମୁଖ୍ୟରାସ୍ତାକୁ(ଷ୍ଟେଟବ୍ୟାଙ୍କ ପାଖ) ଅବରୋଧ କରିରଖିଥିଲେ । ଏହି ରାସ୍ତା ବନ୍ଦ ଯୋଗୁଁ ପରିବାର ହାଟକୁ ଗାଡି-ମୋଟର ଯିବା ଆସିବା ସମ୍ପୂର୍ଣ୍ଣ ଠପ୍ ହୋଇପଡିଥିଲା । ଏପରି କଲୋନୀ ରାସ୍ତାରେ ପରିବା ଗାଡି ଯିବା ଆସିବାକୁ ଲୋକେ ବିରୋଧ କରିଥିଲେ । ପରିବା ବ୍ୟବସାୟୀମାନେ ଘୋର ଅସୁବିଧାରେ ପଡିବାରୁ ରାଜଧାନୀ କଞ୍ଚା ପରିବା ମହାସଂଘ ବନ୍ଦ ଡାକରା ଦେଇଥିଲା ।

ଏହା ପରେ ସ୍ଥାନୀୟ ବିଧାୟକ, ବିଏମସି ଓ ପୋଲିସ ଅଧିକାରୀମାନେ ଘଟଣାରେ ହସ୍ତକ୍ଷେପ କରି ମାମଲାର ଆଶୁସମାଧାନ କରିଥିଲେ । ସେହି ସମୟରେ ହାଟକୁ ଆସୁଥିବା ଗାଡି ଯିବା-ଆସିବାରେ ସହଯୋଗ କରିବା ସହ ପୂଜା ପରେ ରାସ୍ତାକୁ ଫାଙ୍କା ରଖିବାକୁ କୁହାଯାଇଥିଲା । ମାତ୍ର ଅନେକ ସମୟରେ ସ୍ଥାନୀୟ କର୍ପୋରେଟର ଓ ପୂଜା କମିଟି ଉକ୍ତ ରାସ୍ତା କଡରେ ଶୀତବସ୍ତ୍ର, ପ୍ଲାଷ୍ଟିକ ସାମଗ୍ରୀ ଓ ପୂଜା ସାମଗ୍ରୀ ଅସ୍ଥାୟୀ ଦୋକାନ ପକାଇ ରାସ୍ତାକୁ ଜାମ କରୁଛନ୍ତି । ଏହି କ୍ରମରେ ଏବେ ଉକ୍ତ ରାସ୍ତାରେ ଅସ୍ଥାୟୀ ଘର କରି ବ୍ୟବସାୟୀମାନଙ୍କୁ ଯୋଗାଇ ଦିଆଯାଉଛି । ଉକ୍ତ ରାସ୍ତା କଡରେ ଅସ୍ଥାୟୀ ଦୋକାନ ଘର କରାଗଲେ, ପୂଜା ସମୟ ପରି ସବୁଦିନ ହାଟକୁ ଗାଡି-ମୋଟର ଯିବାରେ ସମସ୍ୟା ସୃଷ୍ଟି ହେବ । ଏନେଇ ରାଜଧାନୀ କଞ୍ଚା ପରିବା ମହାସଂଘ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉ ନାହାନ୍ତି ।

ସେହିପରି ଏକ ନମ୍ବର ହାଟର ସମସ୍ତ ଖୁଚୁରା ବ୍ୟବସାୟୀ ଓ ମହାସଂଘର ସମସ୍ତ ଦୋକାନୀ ପ୍ରସ୍ତାବିତ ମାର୍କେଟ କମ୍ପେ୍ଲକ୍ସକୁ ବିରୋଧ କରୁଛନ୍ତି । ଏହି ମାର୍କେଟକୁ ଯଦି ଦୁଇ ମହଲା କରାଯାଇ ତଳ ମହଲାରେ ପରିବା, ଫଳ ଆଦି ଦୋକାନୀ ଓ ଉପର ମହଲାକୁ ଅନ୍ୟାନ୍ୟ ଦୋକାନ କରିବାକୁ ଦିଆଗଲେ ଭଲ ହେବ । ଶ୍ରୀସ୍ୱାଇଁ କହିଛନ୍ତି, ଉକ୍ତ ପ୍ରସ୍ତାବିତ ପ୍ରକଳ୍ପକୁ ଷ୍ଟେଟବ୍ୟାଙ୍କ ପଛପଟରୁ ବାଳିକା ହାଇସ୍କୁଲ ପାଚେରୀ, ଆଖଣ୍ଡଳମଣି ମନ୍ଦିର ପଠାର ପେଟ୍ରୋଲ ପମ୍ପ ପରିସୀମାକୁ ବୃଦ୍ଧି କରାଗଲେ, ଏହା ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ପ୍ରର୍ଯ୍ୟାପ୍ତ ହୋଇପାରନ୍ତା ।

ଏକ ନମ୍ବର ହାଟରେ ଦୋକାନୀମାନେ ଆବଣ୍ଟିତ ଜାଗା ଠାରୁ ଅଧିକ ଜବରଦଖଲରେ ରଖିଛନ୍ତି । ଏହାକୁ ଉଚ୍ଛେଦ କରାଯିବା ଆବଶ୍ୟକ । ବ୍ୟବସାୟୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଗଣେଷ ମଣ୍ଡପର ପରିଚାଳନା ଦାୟିତ୍ୱ ଏଣ୍ଡାମେଣ୍ଟ ଠାରୁ ଅଣାଯାଇ ହାଟ ମହାସଂଘକୁ ହସ୍ତାନ୍ତର କରାଯାଉ । ବିଶେଷ କରି ପ୍ରସ୍ତାବିତ ମାର୍କେଟ କମ୍ପେ୍ଲ୍ଲକ୍ସ ନିର୍ମାଣ ପର୍ଯ୍ୟନ୍ତ ମହାସଂଘ ସହିତ ଆଲୋଚନା କରାଯାଇ ସ୍ଥାୟୀ ପାର୍କିଂର ବ୍ୟବସ୍ଥା କରାଯାଉ । ଏସବୁ ଦାବି ପୂରଣ ନହେଲେ ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇବେ । ବିଶେଷ କରି କଞ୍ଚା ପରିବା ମହାସଂଘ ବେପାରକୁ ଠପ କରିଦେବ ବୋଲି ସେ ଚେତାବନୀ ଦେଇଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy