ଗାଡି ଚେକିଂ ନାଁରେ ପକେଟ ଗରମ କରୁଛି ପୋଲିସ!

0 588

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଅପରାଧ ରୋକିବା ଓ ଦୁର୍ଘଟଣା ହ୍ରାସ କରିବା ଉଦ୍ଦେଶ୍ୟରେ କମିଶନରେଟ ପୋଲିସ ପକ୍ଷରୁ ଗାଡି-ମୋଟର ଚେକିଂକୁ ଜୋରଦାର କରାଯାଉଛି । ପ୍ରତିଦିନ ବିଭିନ୍ନ ଥାନା ପକ୍ଷରୁ ପ୍ରାୟ ୫୦ରୁ ଅଧିକ ଗାଡିକୁ ଜବତ କରାଯାଇ କୋର୍ଟକୁ ପଠାଯାଉଛି । ମାତ୍ର ଏହି ଗାଡି ଚେକିଂ ଏବେ କିଛି ଅସାଧୁ ପୋଲିସ ଅଫିସରଙ୍କ ଲାଗି ଅର୍ଥ ଆଦାୟର ମଉକା ମିଳିଯାଇଛି । କୋର୍ଟରୁ ଜୋରିମାନା ଦେବା ପରେ ମଧ୍ୟ ଗାଡି ରିଲିଜ କରିବାକୁ ଟଙ୍କା ମାଗୁଛନ୍ତି । ଶହୀଦନଗର ଥାନାର ସବ୍‌-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ।

ସହରରେ ଦୁର୍ଘଟଣା ରୋକିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ଲକିଂ ଓ ଚେକିଂକୁ ମଦ୍ୟପ ଗାଡି ଚଳାକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । ମାତ୍ର ଗାଡି ଚେକିଂ ଆଳରେ କିଛି ପୋଲିସ ଅଧିକାରୀଙ୍କ ଯୋଗୁଁ ନିରିହ ଲୋକେ ଜୁଲମର ଶୀକାର ହେଉଛନ୍ତି । କିଏ ମାନସିକ ଭାବେ ତ କିଏ ଆର୍ଥିକ ଭାବେ ପୋଲିସ ଜୁଲମରେ ଅତିଷ୍ଠ ହୋଇପଡୁଛି । ଏଦିଗରେ ବରିଷ୍ଠ ପୋଲିସ ଅଧିକାରୀମାନେ ତଦାରଖ ନକରିବା ଓ ପ୍ରକୃତ ଅମାନିଆଙ୍କୁ ପୋଲିସ ଧରୁଛି କି ନାହିଁ, ସେଦିଗରେ ଦୃଷ୍ଟି ନଦେବା ଯୋଗୁଁ ଆଜି ଭିଜିଲାନ୍ସ ଥାନାରେ ପଶି ଲାଞ୍ଚୁଆ ଅଫିସରଙ୍କୁ ଗିରଫ କରୁଛି । ଫଳରେ ଦେଶ-ବିଦେଶରେ ରୋଲ ମଡେଲ ପାଲଟୁଥିବା କମିଶନରେଔ ପୋଲିସ ଏବେ ବଦନାମ ହେବାରେ ଲାଗିଛି ।

ନିୟମ ଅନୁସାରେ, ଦୈନିକ ପୋଲିସ କେତେ ଗାଡି ଜବତ କରୁଛି, ତାହାର ହିସାବ ରହିବା ଆବଶ୍ୟକ । ଏଥିସହିତ ପୋଲିସ ହାତରେ ଧରାପଡୁଥିବା ଗାଡି ଚାଳକ ପ୍ରକୃତରେ ନିୟମ ଉଲଂଘନ କରିଛି କି ନାହିଁ, ତାର ମଧ୍ୟ ତଦନ୍ତ ହେବା ଆବଶ୍ୟକ । ଜବତ ହେଉଥିବା ଗାଡି ମଧ୍ୟରୁ କେତେ ଗାଡିକୁ ପିଆର କଟାଯାଇ କୋର୍ଟ ପଠାଯାଉଛି । କୋର୍ଟରୁ କେତେ ଗାଡି ବେଲ୍‌ରେ ଆସୁଛି ଓ କେତେ ରିଲିଜ ହେଉଛି? ପୋଲିସ ପାଖରେ ଏବେ କେତେ ଜବତ ଗାଡି ରହିଛି? ଏହାର ତଥ୍ୟ କୋର୍ଟକୁ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି । ହେଲେ ଏସବୁ ଉପରେ କେହି ଦୃଷ୍ଟି ଦେଉ ନାହାନ୍ତି । ଫଳରେ ଗାଡି ରିଲିଜ ଓ ଧରାପଡିବା ବେଳେ ଲାଞ୍ଚ କାରବାର ହେଉଛି । ଏଦିଗରେ ଏବେଠାରୁ ଯଦି ପୋଲିସ କମିଶନର ଓ ଡିସିପି ଦୃଷ୍ଟି ନ ଦିଅନ୍ତି, ଆଗାମୀ ଦିନରେ କମିଶନରେଟ ପୋଲିସର ଆହୁରି ଅନେକ ପୋଲିସ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିବେ, ଏଥିରେ ସନ୍ଦେହ ନାହିଁ ।

ଉଲ୍ଲେଖଥାଉ କି, ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ (ଡିଏଲ)କୁ ଫେରାଇବା ଲାଞ୍ଚ ନେଉଥିବା ବେଳେ ଶହୀଦନଗର ଥାନାର ସବ୍‌-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଅଭିଯୋଗକାରୀଙ୍କୁ ଡିଏଲ୍ ଫେରାଇବାକୁ ସେ ୫ ହଜାର ଟଙ୍କା ମାଗିଥିଲେ । ଅଭିଯୋଗକାରୀ ଗତ ୨୧ ତାରିଖରେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ । କିନ୍ତୁ ଆଉ ୨ ହଜାର ଟଙ୍କା ନ ଦେଲେ ଡିଏଲ ଦେବେ ନାହିଁ ବୋଲି ସେ ତାଙ୍କୁ କହିଥିଲେ । ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଗତକାଲି ପ୍ରିୟବ୍ରତ ବାକି ୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ । ପରେ ତାଙ୍କୁ ଗିରଫ କରାଯାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy