ସମସ୍ତ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାର ପ୍ରତିବଦ୍ଧ: ମୁଖ୍ୟମନ୍ତ୍ରୀ

0 371

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟ ସ୍ୱାସ୍ଥ୍ୟସେବାରେ ୨୪୭୩ ଚିକିତ୍ସାଧିକାରୀ ନିଯୁକ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩୯୨ ଜଣ ଏମ୍‌ବିବିଏସ୍ ଡାକ୍ତର ଏବଂ ୮୧ ଦନ୍ତ ଚିକିତ୍ସକ ରହିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନବନିଯୁକ୍ତ ଚିକିତ୍ସାଧିକାରୀଙ୍କୁ ଉପାଦେୟ ପରାମର୍ଶ ଦେଇଛନ୍ତି ।ଏହି ନୂତନ ଚିକିତ୍ସାଧିକାରୀଙ୍କ ଯୋଗଦାନ ରାଜ୍ୟରେ ସ୍ୱାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ପ୍ରତ୍ୟେକ କ୍ଷେତ୍ର ଓ ଅଞ୍ଚଳରେ ରୂପାନ୍ତରଣ ଦେଖିବା ଆମର ଉଦ୍ଦେଣ୍ୟ । ଏହି ରୂପାନ୍ତରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନକୁ ଛୁଇଁବା ସହ ଜୀବନର ସବୁ ସ୍ତରରେ ଅତ୍ୟାଧୁନିକ ଭାବନା ଆଣିବା ଉଚିତ । ଆମର ୫-ଟି ରୂପାନ୍ତରଣ ଉପକ୍ରମରେ ସ୍ୱାସ୍ଥ୍ୟସେବା ହେଉଛି ଏକ ପ୍ରାଥମିକତା କ୍ଷେତ୍ର । ନୂତନ ଡାକ୍ତରଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ, ଯୁବ ଡାକ୍ତର ଭାବେ ଏହି ଅଭିଯାନରେ ସେମାନେ ବ୍ୟାପକ ଯୋଗଦାନ କରିପାରିବେ । ଯେତେବେଳେ କେହି ରୋଗୀ ଭେଟୁଛନ୍ତି, ପ୍ରତ୍ୟେକ କିପରି ଏକ ସକାରାତ୍ମକ ଭାବନା ଅନୁଭବ କରିବେ, ସେଥିପ୍ରତି ଦୃଷ୍ଟି ଦିଆଯିବା ଦରକାର । ଆପଣଙ୍କର ବୃତ୍ତିଗତ ଉତ୍କର୍ଷତା ସହିତ ରୋଗୀଙ୍କ ପ୍ରତି ମାନବୀୟ ଆଭିମୁଖ୍ୟ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରିବ । ଆମ ଦରମାର ପ୍ରତିଟି ଅର୍ଥ କିମ୍ବା ଯେଉଁ କୋଠାରେ ଆମେ କାମ କରୁଛୁ ସେଥିପାଇଁ ଓଡ଼ିଶାବାସୀ ଅର୍ଥ ଦେଉଛନ୍ତି । ଆମେ ଏଠାରେ ସେମାନଙ୍କ ସେବା କରିବାକୁ ଅଛୁ ବୋଲି ସବୁବେଳେ ମନେ ରଖିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ନୂଆ ଡାକ୍ତରଙ୍କ ପରିବାର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାର ପ୍ରତିବଦ୍ଧ । ଆମର ଲକ୍ଷ୍ୟ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ । ଏହି ଲକ୍ଷ୍ୟ ହାସଲ ପାଇଁ ଆମର ନୀତି ହେଉଛି ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ । ଏହି ଲକ୍ଷ୍ୟକୁ ବାସ୍ତବତାରେ ପରିଣତ କରିବା ଯାଇ ଆମେ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକର ଭିତ୍ତିଭୂମିରେ ବ୍ୟାପକ ବିକାଶ କାର୍ଯ୍ୟ ଜାରି ରଖିଛୁ । ଦୁଇ ଦଶନ୍ଧି ତୁଳନାରେ ଆମେ ଏବେ ୮ ଗୁଣ ଅଧିକ ଡାକ୍ତର ବାହାର କରୁଛୁ । ଆଗାମୀ କିଛିବର୍ଷ ମଧ୍ୟରେ ରାଜ୍ୟରେ ଆହୁରି ଅଧିକ ମେଡିକାଲ କଲେଜ ଖୋଲିବ ।

ଏଥିସହ ବ୍ୟାପକ ଭାବେ ମେଡିକାଲ, ପାରା-ମେଡିକାଲ ଅଧିକାରୀ ନିଯୁକ୍ତି କରାଯାଉଛି । କେବଳ ଚଳିତ ବର୍ଷ ୩୬୦୦ ଚିକିତ୍ସାଧିକାରୀଙ୍କୁ ନିଯୁକ୍ତ କରିଛୁ । ନଭେମ୍ବରରେ ପ୍ରାୟ ୪ ହଜାର ନର୍ସିଂ ଅଧିକାରୀ ନିଯୁକ୍ତ ହୋଇଥିଲେ । ଗୁଣାତ୍ମକ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ଲକ୍ଷ୍ୟରେ ହସ୍ପିଟାଲଗୁଡ଼ିକୁ ‘ଆମ ହସ୍ପିଟାଲ’ରେ ପରିବର୍ତ୍ତନ କରାଯାଉଛି । ସମସ୍ତ ସରକାରୀ ଚିକିତ୍ସାଳୟରେ ରୋଗୀସେବା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ସ୍ୱାସ୍ଥ୍ୟସେବାକୁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଥିବାବେଳେ ଗତ ୬ ବର୍ଷରେ ୮ଟି ନୂଆ ମେଡିକାଲ କଲେଜ ଏବଂ ୨ଟି ନୂଆ ସ୍ନାତକୋତ୍ତର ଅନୁଷ୍ଠାନ ପ୍ରତିଷ୍ଠା ହୋଇଛି । ଏହାଫଳରେ ପ୍ରତିବର୍ଷ ରାଜ୍ୟରେ ୨୫୨୫ ଏମ୍‌ବିବିଏସ୍ ଡାକ୍ତର ଏବଂ ୮୫୬ ସ୍ପେଶାଲିଷ୍ଟ୍ ବାହାରୁଛନ୍ତି । ଓଡ଼ିଶା ଏକ ଡାକ୍ତର ବଳକା ରାଜ୍ୟ ହେବାକୁ ଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଚିକିତ୍ସାଧିକାରୀଙ୍କୁ ଉଚ୍ଚମାନର ଷ୍ଟେଥୋସ୍କୋପ ଏବଂ ଦନ୍ତ ଚିକିତ୍ସକଙ୍କୁ ଡେଣ୍ଟାଲ କିଟ୍ ପ୍ରଦାନ କରିଥିଲେ । ଅନ୍‌ଲାଇନ୍ କାଉନସେଲିଂ ବ୍ୟବସ୍ଥାରେ ସ୍ୱଚ୍ଛ ମେଧା ଭିତ୍ତିରେ ବିଭିନ୍ନ ଜିଲାରେ ଚିକିତ୍ସାଧିକାରୀ ନିଯୁକ୍ତ ହୋଇଛନ୍ତି ।

କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ ଆମେ ସର୍ବଦା ଆଗ୍ରହୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଇଏମ୍‌ଆର ଏବଂ ଏମ୍‌ଏମ୍‌ଆରରେ ଉଲ୍ଲେଖନୀୟ ହ୍ରାସ ସହ ଜାତୀୟ ସ୍ତରରେ ମାଇଲଖୁଣ୍ଟ ସ୍ଥାପନ କରିଛୁ । ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଡାକ୍ତରଙ୍କ ଉଦ୍ଦେଶ୍ୟରେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଭିଜନ୍ ନୂଆ ଓଡ଼ିଶାର ଆପଣମାନେ ସହଭାଗୀ । ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟ ସୁରକ୍ଷା, କୃଷି ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ରୂପାନ୍ତରଣ ଚାଲିଛି । ଏକ ପରିବାରର ଅର୍ଥନୈତିକ ଅଭିବୃଦ୍ଧିରେ ସ୍ୱାସ୍ଥ୍ୟ ସମସ୍ୟା ଏକ ବଡ଼ ପ୍ରତିବନ୍ଧକ । ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ବାହାର କରି ଆମେ ରାଜ୍ୟରେ ପରିବାରର ଅର୍ଥନୈତିକ ସ୍ୱାସ୍ଥ୍ୟକୁ ରୂପାନ୍ତରିତ କରିପାରିବା । ଗ୍ରାମୀଣ ଗରିବଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ ପାଇଁ ଚେଷ୍ଟା କରିବାକୁ ସେ ପରାମର୍ଶ ଦେଇଥିଲେ । ନବନିଯୁକ୍ତ ଡା. ଅନମୋଲ ମହାପାତ୍ର ଏବଂ ଡା. ଅଜିତ ରଥ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାକୁ ନେଇ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଏବଂ ନିର୍ଦେଶକ ଡା. ବିଜୟ ମହାପାତ୍ର ଧନ୍ୟବାଦ ଦେଇଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy